ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ । ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଆଜିଠାରୁ ଖୋଲିବାକୁ ଯାଉଛି । ତେବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ୱର ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକ ସହରରେ ଥିବା ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା ହୋଇଛି । ୨୧ ତାରିଖ ଏହି ଦୁଇ ସହରର ବିଦ୍ୟାଳୟ ଖୋଲିବ ।
ହଇଜା, ଝାଡ଼ାବାନ୍ତି ପରି ଜଳବାହିତ ରୋଗ ବ୍ୟାପୁଥିବାରୁ ପିଲାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ପିଇବା ପାଣି ଝାଡ଼ାବାନ୍ତିର ପ୍ରମୁଖ କାରଣ ହୋଇଥିବାରୁ ଅନେକ ସ୍ଥାନରେ ଜଳ ବିଶୋଧନ ଓ ସଫେଇ କାମକୁ ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଖୋଲିଲେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବେ ଓ ପାନୀୟଜଳ ପିଇବେ, ସେ ନେଇ ଗାଇଡଲାଇନ ରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ଫୁଟା ପାଣି ଦିଆଯିବ । ହଷ୍ଟେଲରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ । ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି । ବିଦ୍ୟାଳୟ ଖୋଲିବା ପରେ ଅଭିଭାବକ ସ୍କୁଲ ପରିବେଶ ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିପାରିବେ । ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍ଥିତି ବିଗିଡ଼ିଲେ ଜିଲ୍ଲାପାଳ ମାନେ ଶିକ୍ଷାନୁଷ୍ଠାନ ବନ୍ଦ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
Leave a Reply