କେନ୍ଦୁଝରରେ ହୋଇଥିବା ଚାଷୀ ଜନମୋର୍ଚ୍ଚା କାର୍ଯ୍ୟକ୍ରମରେ ଭିକେ ପାଣ୍ଡିଆନଙ୍କ ଉପରେ ନିଶାନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପୁରୁଷୋତ୍ତମ ଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚି ବିଜୟ କରି ରାଜକୁମାରୀକୁ ବିବାହ କରିଥିଲେ। ଏହାର ବଦଲା ନେବାକୁ ଭିକେ ପାଣ୍ଡିଆନ ଓଡ଼ିଶା ଆସିଥିଲେ। ଏଠାକୁ ଆସି ସେ ପ୍ରଥମେ ଓଡିଆ ଝିଅକୁ ବାହାହେଲେ। ତା’ପରେ ଜଗନ୍ନାଥଙ୍କୁ ବଦନାମ କରିବାକୁ ତାଙ୍କ ନାମରେ ଉସୁନା ଅରୁଆ ଚାଉଳ ମିଶାଇ ଘରୁ ଘରୁ ମାଗିଲେ। ନିଜେ ଉଡ଼ା ଜାହାଜରେ ବୁଲି ବୁଲି ନବୀନ ବାବୁଙ୍କୁ ଦୁଇଟି ଯାଗାରେ ଠିଆ କରାଇଲେ। ଦୁଇଟି ଯାଗାରେ ସେ ଜିତିଥିଲେ। ଗୋଟିଏରେ ପାଣ୍ଡିଆନ ଜିତି ଉପମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ଚଳାଇଥାନ୍ତେ। ଆଉ, ରାଜ୍ୟକୁ ଲୁଟି ବଦଲା ପୂରା କରିଥାନ୍ତେ। ହେଲେ ପ୍ରଭୁ ଜଗନ୍ନାଥ ଏହାକୁ କରାଇ ଦେଲେ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ପାଣ୍ଡିଆନ ଓଡ଼ିଶା ରାଜ୍ୟକୁ ଉପଭୋଗ କରିବାର ଚକ୍ରାନ୍ତ ଥିଲା। ହେଲେ ଜଗନ୍ନାଥ କରାଇଦେଲେ ନାହିଁ। ମୁଁ ସେଥିପାଇଁ କହୁଛି, ଏହି ସରକାର ଜଗନ୍ନାଥ ଆଣିଛନ୍ତି। ମୋର ବିଶ୍ୱାସ ନଥିଲା ଆମେ ସରକାର କରିବୁ ବୋଲି। ହେଲେ ଗୋଟିଏ ଲୋକର ବିଶ୍ୱାସ ଥିଲା, ସେ ହେଉଛନ୍ତି ମନମୋହନ ସାମଲ। ଏକୁଟିଆ ଲଢ଼ିବୁ, ଏକଟୁଆ ସରକାର ଆଣିବୁ ବୋଲି ସେ କହୁଥିଲେ। ସେଥିପାଇଁ ମ୍ୟାନ ଅଫ୍ ଦି ମ୍ୟାଚ ହେଉଛନ୍ତି ମନମୋହନ ସାମଲ।
Leave a Reply