କିଟ୍ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ଆଜି ଭୁବନେଶ୍ୱର ଏମ୍ସରେ ପରିବାର ଲୋକଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ । ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଜାତୀୟ ମାନବାଧିକାର କମିଶନ । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ୍ ଜାରି କରାଯାଇଛି । ୩ମାସ ମଧ୍ୟରେ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉଭୟ ମୃତ ଛାତ୍ରୀଙ୍କ ମାନବଧିକାର ଉଲ୍ଲଂଘନ କରିଛି, ତେଣୁ ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ୯ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଏହି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରିଛି ମୂଳ ପ୍ରବାହ ଅଖିଳ ଭାରତ ନେପାଳୀ ଏକତା ସମାଜ କମିଟି । ଯାହା ଘଟୁଛି କିଛି ଭଲ ହେଉନାହିଁ । ଆଗକୁ କାହା ସହ ବି ଏପରି ନହେଉ ବୋଲି କମିଟି ସଦସ୍ୟ କହିଛନ୍ତି । ସେହିପରି ଗତକାଲି ନେପାଳ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି ଘଟଣାରେ ଗଭୀର ଉଦବେଗ୍ ପ୍ରକାଶ କରିଥିଲେ । ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି । କାହିଁକି ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଲା, ତାର ସତ୍ୟାସତ୍ୟ ଯାଞ୍ଚ କରାଯାଉ । ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ । ଭାରତ ସରକାର, ଓଡ଼ିଶା ସରକାରଙ୍କ ସହ ଆଲୋଚନା ଚାଲିଛି ବୋଲି ସେ ଟ୍ୱିଟ୍ରେ ଉଲ୍ଲେଖ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ କିଟ୍ ପରିସରରେ ଥିବା ଏକ ହଷ୍ଟେଲରୁ ନେପାଳୀ ଛାତ୍ରୀ ପ୍ରୀସାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ପୂର୍ବରୁ ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁକୁ ୩ ମାସ ନପୁରୁଣୁ ପୁଣିଥରେ ଆଉ ଜଣେ ଛାତ୍ରୀଙ୍କ ସମାନ ଭାବେ ମୃତ୍ୟୁ ହେବା ଘଟଣା ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଆସନ୍ତା ୯ ତାରିଖ ସୁଦ୍ଧା ଏହି ଘଟଣାର ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଦେଇଛନ୍ତି।












Leave a Reply