ପରିସ୍ରା ପିଆଇବା ମାମଲାରେ ପିଅନ ଗିରଫ। ମୋହନା ଆର୍ଡବ୍ଲୁ ଏସଏସ୍ ଯନ୍ତ୍ରୀଙ୍କୁ ପିଆଇବା ମାମଲାରେ ପିଅନ ଶିବ ନାୟକ ଗିରଫ। ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଥିଲା। ଗଜପତି ଜିଲ୍ଲା ଆର୍. ଉଦୟଗିରିସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରେ ଘଟିଥିଲା ଏହି ଘଟଣା। ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଯନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ଜୁଲାଇ ୨୩ ତାରିଖ ରାତିରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯନ୍ତ୍ରୀ ଜଣକ କିଛି ନ ଜାଣିପାରି ସେହି ପରିସ୍ରାକୁ ପିଇ ଦେଇଥିଲେ। ପିଇବା ପରେ ତାଙ୍କୁ କିଛି ଅସ୍ୱାଭାବିକ ଲାଗିବାରୁ ସେ ସନ୍ଦେହ କରିଥିଲେ।
ପରେ ସେ ପରିସ୍ରା ପିଇଥିବାରୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏହି ଅମାନବୀୟ କାଣ୍ଡକୁ ନେଇ ଆର୍. ଉଦୟଗିରି ଥାନାରେ ଅଭିଯୁକ୍ତ ପିଅନ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।
Leave a Reply