ଲୋକାରଣ୍ୟ ତାଳଚେରର ମା’ହିଙ୍ଗୁଳାଙ୍କ ପୀଠ; ତିନି ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ।

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୧ତମ ଲୋକ ମହୋତ୍ସବ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ବା ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମାଆଙ୍କ ଏହି ଅନନ୍ୟ ଯାତ୍ରା ଆରମ୍ଭ ହୋଇ ନଅ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଆଜି ଯାତ୍ରାର ପ୍ରଥମ ଦିନରେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇ ମା’ହିଙ୍ଗୁଳାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ଅଗ୍ନିରୂପା ମା’ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ହାଇସ୍କୁଲ ପାଚେରୀ ନିକଟରେ ତଥା ଗଜରାଜ ଖେଳପଡିଆରେ ଆର୍ବିଭାବ ହୋଇଛନ୍ତି।

ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବା ସହ ତାଙ୍କ ଆଶିଷ ଲାଭ କରିବା ପାଇଁ ଉଭାସ୍ଥଳୀକୁ ଆଜି ବଡି ଭୋରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ବହୁ ଶ୍ରଦ୍ଧାଳୁ ନିଜର କୁନିକୁନି ଛୁଆମାନଙ୍କର ପ୍ରଥମ ଚୁଟି ମୁଣ୍ଡନ କାର୍ଯ୍ୟକ୍ରମ ଆଜିର ଦିନରେ କରିଥାନ୍ତି। ତେଣୁ ବହୁ ଶ୍ରଦ୍ଧାଳୁ ଶାଳବଣିଆ ଛକଠାରୁ ଗୋପାଳପ୍ରସାଦ ସିଙ୍ଗଡା ବ୍ରିଜ ପର୍ଯ୍ୟନ୍ତ ରାସ୍ତାକଡର ବିଭିନ୍ନ ସ୍ଥାନରେ ଶିଶୁମାନଙ୍କର ଚୁଟି ମୁଣ୍ଡନ କରାଯାଉଥିବାର ଦେଖାଯାଇଥିଲା। ଆଜି ପ୍ରତ୍ୟୁଷରୁ ମା’ହିଙ୍ଗୁଳାଙ୍କ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ପାରମ୍ପାରିକ ରୀତିନୀତି ଅନୁଯାୟୀ ସଂପନ୍ନ କରାଯାଇଥିଲା। ଅପରାହ୍ନରେ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ(ମୁଖ୍ୟ ଦେହୁରୀଙ୍କ ବାସଗୃହରୁ)ବଡ ମଣ୍ଡପ(ହିଙ୍ଗୁଳା ମନ୍ଦିର)କୁ ଅଣାଯାଇଥିଲା। ସେଠାରେ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ଶାବରୀ ମନ୍ତ୍ରରେ ପୂଜା କରିଥିଲେ। ଏହାପରେ ମାଆଙ୍କ ଚଳନ୍ତି ପ୍ରତିମା ଆଲମକୁ ଉଭାସ୍ଥଳୀକୁ ଶୋଭାଯାତ୍ରାରେ ନେଇ ପୂଜାର୍ଚ୍ଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial