ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ।

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର । ଏକ ପ୍ରେସ୍‌ମିଟ୍ କରି ସେ କହିଛନ୍ତି, ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ । ମନ୍ଦିର ପ୍ରତିଷ୍ଠା ପାଇଁ ମମତା ବାନାର୍ଜୀ ମୋତେ ଡାକିଥିଲେ, ମୁଁ ଯାଇଥିଲି । ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ ତାଙ୍କୁ କହିଥିଲି ବୋଲି କହିଛନ୍ତି ରାମକୃଷ୍ଣ । ଗତ ୨୯ ତାରିଖରେ ରାମକୃଷ୍ଣ ଦୀଘାରେ ଏକ ଗଣମାଧ୍ୟମ ଚ୍ୟାନେଲକୁ କହିଥିଲେ, ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ୧୨ ରୁ ୧୯ ବର୍ଷ ଅନ୍ତରରେ ମହାପ୍ରଭୁଙ୍କର ନବକଳେବର ହୁଏ । ଯେଉଁ ଦାରୁବ୍ରହ୍ମ ପାଇଁ ଆମକୁ ସ୍ୱପ୍ନ ହୁଏ, ଯେଉଁ ଦାରୁବ୍ରହ୍ମ କାଠ ଆମେ ଆଣୁ, ପ୍ରଭୁ ତିଆରି ହେବା ପରେ ମନ୍ଦିର ଭିତରେ କିଛି କାଠ ଆମ ପାଖରେ ଥାଏ । 

ସେ କହିଥିଲେ, ମୋତେ ଯେତେବେଳେ ମମତା ବାନାର୍ଜୀ କହିଲେ ଏଠାରେ ଗୋଟିଏ ମନ୍ଦିର ହେବ ଓ ପ୍ରଭୁ ସ୍ଥାପିତ ହେବେ । ଶୁଣିଥିଲି ଯେ, ସେଠାରେ ପଥର ମୂର୍ତ୍ତି ସ୍ଥାପନ ହେବେ ବୋଲି । ମୁଁ ସେତେବେଳେ କହିଲି ନା ପଥର ମୂର୍ତ୍ତି ସ୍ଥାପିତ ହେବେନି । ଯଦି ସ୍ଥାପନ ହେବେ, ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପିତ ହେବେ । ତାଙ୍କର ପ୍ରାଣ ପ୍ରତିଷ୍ଠା ଓ ପୂଜା ହେବ । ସେତେବେଳେ ସେ କହିଲେ ଯେ, ଆପଣ ଏହା ତିଆରି କରି ଆଣିବେ। ତାଙ୍କ କଥା ଅନୁଯାୟୀ, ମୁଁ ଠାକୁରଙ୍କୁ ତିଆରି କରି ନେଇ ଆସିଛି । 

ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଆଜି ପୁରୀରେ ପ୍ରେସମିଟରେ କହିଛନ୍ତି, ନିମ୍ବ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି । ପଥର ମୂର୍ତ୍ତି ପୂଜା ହୋଇ ପାରିବେନି ବୋଲି ମନା କରିଥିଲି। କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଥିରେ ପ୍ରତିଷ୍ଠା ହୋଇପାରିବନି। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ତେଜିଥିବା ବେଳେ ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ଦୀଘାରେ ସେ ଜଗନ୍ନାଥଙ୍କୁ ବସେଇଥିବା କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ମୋ କାମ ମୁଁ କରିଛି । ଯଜ୍ଞହୋମ କାମ ବ୍ରାହ୍ମଣମାନେ କରିଛନ୍ତି । ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହୋଇଛି । ସେଠାରେ ବ୍ରହ୍ମ ସ୍ଥାପନା ହୋଇନାହିଁ ବୋଲି ସେ କହିଛନ୍ତି । ତେବେ ସେଠାରେ ବ୍ରହ୍ମ ସ୍ଥାପନା ହୋଇଥିବା ସଂପର୍କରେ ଦୀଘାରେ ଗଣମାଧ୍ୟମକୁ ସେ କହିଥିବା ସଂପର୍କରେ ପଚରାଯିବାରୁ, ମୁଁ ସେମିତି କିଛି କହିନାହିଁ ବୋଲି ସେ କହିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial