ରାଜ୍ୟରେ ଆହୁରି ତିନି ଦିନ ବର୍ଷା; ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ତିନି ଦିନ ବର୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବିଶେଷ କରି ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର ଏବଂ ନୂଆପଡା। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ସ୍ଥଳ ବିଶେଷରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏଥିସହ ରାଜ୍ୟର କିଛି ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ପ୍ରବଳ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଜନସାଧାରଣ। ସକାଳ ୮ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଭୀଷଣ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ମୁଣ୍ଡଫଟା ଖରା ସାଙ୍ଗକୁ କଲବଲ କରୁଛି ତାତି। ତେବେ ଏହି କିଛି ଦିନ ହେବ ଆଶ୍ୱସ୍ତି ଦଉଛି ଅଦିନିଆ ବର୍ଷା। ଅପରାହ୍ନ ସମୟରେ ହଠାତ ମାଡିଆସୁଛି ପବନ ସାଙ୍ଗକୁ ବର୍ଷା। ଆଗକୁ ରଜ ପର୍ବ ଆସୁଥିବା ବେଳେ ଲାଗୁଛି ଏଥର ବର୍ଷାରେ ଭିଜିବ ରଜ। ପାଣିପାଗ ବିଭାଗର ଆକଳନ ଅନୁସାରେ ୧୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ରହିଛି। ତେଣୁ ଆଗକୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial