ଭୁବନେଶ୍ୱର: ରାଜ୍ୟ ସରକାର ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଥିବାବେଳେ କିଛି ନକଲି ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ନକଲି ଚାଷୀଙ୍କୁ ଧରିବାକୁ ରାଜ୍ୟ ସରକାର ପୁନଃ ଚାଷୀ ପଞ୍ଜିକରଣ କରିବାକୁ ଯାଉଛନ୍ତି । ଅନେକ ନକଲି ଚାଷୀ ଥିବାରୁ ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ଫଳରେ ରାଜ୍ୟରେ ଥିବା ନକଲି ଚାଷୀଙ୍କୁ ଧରି ହେବ ବୋଲି ସେ କହିଛନ୍ତି।ମନ୍ତ୍ରୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ ହେବ । ରାସନ କାର୍ଡରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି । ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ରହିଥାଇ ପାରନ୍ତି । ବିଗତ ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଚ୍ଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି । ଚାଷୀଙ୍କ ନାଁରେ ଅନ୍ୟମାନେ ପଞ୍ଜିକରଣ କରୁଛନ୍ତି । ସେହିମାନେ ଚାଷୀଙ୍କଠାରୁ କମ ମୂଲ୍ୟରେ ଧାନ କିଣି ଧାନ ବିକ୍ରି କରୁଛନ୍ତି । ପୁଣି ଥରେ ଏଫଏକ୍ୟୁମାନରେ ସମ୍ପୂର୍ଣ୍ଣ ସାଲିସ କରାଯିବ ନାହିଁ ବୋଲି ଦୋହରାଇଛନ୍ତି ମନ୍ତ୍ରୀ । ଯେତିକି ସମ୍ଭବ ସେତିକି କୋହଳ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟର ନକଲି ଚାଷୀଙ୍କୁ ଧରିବାକୁ ଚାଲିଛି ପୁନଃ ଚାଷୀ ପଞ୍ଜିକରଣ ,ନକଲି ଚାଷୀ ଧରା ପଡିଲେ କାର୍ଯ୍ୟାନୁଷ୍ଠାନ

Leave a Reply