ଆଫଗାନିସ୍ତାନରେ ପାକ୍‌ର ବିମାନ ଆକ୍ରମଣ, ୪୬ ଜଣ ଆଫ୍‌ଗାନ ନାଗରିକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ : ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍‌ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ ଶିବିର ଉପରେ ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି । ଆଫ୍‌ଗାନିସ୍ତାନ ତୁରନ୍ତ ଏୟାର ଷ୍ଟ୍ରାଇକ୍‌ର ଜବାବ ଦେଇନଥିଲେ ମଧ୍ୟ ଆକ୍ରମଣର ପ୍ରତିଶୋଧ ଯେ କୌଣସି ସମୟରେ ନିଆଯିବ ବୋଲି କହିଛି। ମାର୍ଚ୍ଚ ପରଠାରୁ ‘ତେହରିକ ଏ ପାକିସ୍ତାନୀ ତାଲିବାନ’ର ଆଶ୍ରୟସ୍ଥଳୀ ଉପରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ଆକ୍ରମଣ। ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଗୁଇନ୍ଦାଭିତ୍ତିକ ଆକ୍ରମଣ ହୋଇଛି ଏବଂ ଆମେ କେବଳ ଆତଙ୍କୀ ଶିବିର ଧ୍ବଂସ କରିଛୁ ବୋଲି ପାକିସ୍ତାନ କହିଛି। ତେବେ ଏଭଳି ଏକତରଫା ପଦକ୍ଷେପ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ ଏବଂ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି।

ଏହି ଆକ୍ରମଣରେ ‘ପାକିସ୍ତାନ ତେହେରିକ ଏ ତାଲିବାନ’ର ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଧ୍ୱଂସ ହୋଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଆକ୍ରମଣରେ ମୁଗ ବଜାର ଗ୍ରାମ ପୋଡି ଯାଇଥିବାବେଳେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ସମ୍ପତ୍ତିବାଡି ନଷ୍ଟ ହୋଇଛି। ତାଲିବାନ ଶିବିରି ଉପରେ ଆକ୍ରମଣ କରାଯିବା ସମ୍ପର୍କରେ ପାକିସ୍ତାନ ସେନା ପକ୍ଷରୁ କିଛି କୁହାଯାଇ ନାହିଁ। ମାତ୍ର ପାକିସ୍ତାନ ସେନା ସହିତ ଜଡିତ ସୁରକ୍ଷା ଏଜେନ୍ସି କହିଛି ଯେ ସୀମାନ୍ତ ଅଞ୍ଚଳର ତାଲିବାନ ଶିବିରକୁ ନିଶାଣ କରି ବିମାନ ଆକ୍ରମଣ କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୪ରେ ହୋଇଥିବା ଆକ୍ରମଣରେ ଆଫଗାନିସ୍ତାନର ୭ଟି ଗ୍ରାମ ନଷ୍ଟ ହୋଇଛି। ଏଥିରେ ଗୋଟିଏ ପରିବାର ୫ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସବିଶେଷ ତଥ୍ୟ ମିଳିନାହିଁ। ଏହି ଆକ୍ରମଣ ପାଇଁ ଆଫଗାନିସ୍ତାନର ତାଲିବାନ ସରକାର କାହାକୁ ଦାୟୀ କରି ନଥିବାବେଳେ ଏହାର ଦୃଢ ଜବାବ ଦିଆଯିବ ବୋଲି କୁହାଯାଇଛି।

ଆଫଗାନିସ୍ତାନ ତାଲିବାନ ସରକାରର ପ୍ରତିରକ୍ଷା ମନ୍ତ୍ରଣାଳୟ ପାକଟିକାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ସୁରକ୍ଷା ଦେବା ଲାଗି ତାଲିବାନ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ଆଫଗାନିସ୍ତାନ ଉପରେ ଯେଉଁ ଆକ୍ରମଣ ହୋଇଛି ତାର ଦୃଢ ଜବାବ ଦିଆଯିବ। ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ୱାଜିରିସ୍ତାନର ଶରଣାର୍ଥୀ। ଆଫଗାନିସ୍ତାନ ପାଇଁ ପାକିସ୍ତାନର ସ୍ବତନ୍ତ୍ର ପ୍ରତିନିଧି ସାଦିକ ମହମ୍ମଦ କାବୁଲ ଗସ୍ତରେ ଆସି ଫେରିବା ପରେ ଏହି ଆକ୍ରମଣ ହୋଇଛି। ସାଦିକ ତାଙ୍କ ଗସ୍ତ କାଳରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ସହିତ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିଥିଲେ। ପାକିସ୍ତାନ ସେନା ଉପରେ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ନିୟମିତ ଆକ୍ରମଣକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଅଭିଯୋଗ କରୁଛି ଯେ ଆଫଗାନିସ୍ତାନ ସରକାର ଟିଟିପି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି।ମାତ୍ର ପାକିସ୍ତାନର ଏପରି ଅଭିଯୋଗକୁ ଆଫଗାନିସ୍ତାନ ସରକାର ଖଣ୍ଡନ କରୁଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial