ଅନାସ୍ଥା ପ୍ରସ୍ତାବକୁ ନେଇ ଜୋର ଧରୁଛି ରାଜନୀତି; କଣ ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେଇଯିବେ ଶଙ୍ଖ ଆଉ ହାତ ?

ରାଜ୍ୟରେ ବିଜେପିର ବର୍ଷକର ମୋହନ ସରକାରକୁ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସ ଏଥିପାଇଁ ନବୀନଙ୍କ ବିଜେଡି ସହ ହାତ ମିଶାଇବାକୁ ମଧ୍ୟ ଇସାରା ଦେଇଛନ୍ତି । ସିଧା ସିଧା କହିଛନ୍ତି ବିଜେଡି ବିଧାନସଭାରେ ଅନାସ୍ଥା ଆଣୁ ଯାହାକୁ କି କଂଗ୍ରେସ ସମର୍ଥନ କରିବ । ନହେଲେ କଂଗ୍ରେସ ଯଦି ଅନାସ୍ଥା ପ୍ରସ୍ତାବ ଆଣୁଛି, ତେବେ ବିଜେଡି ଏହାକୁ ସମର୍ଥନ କରୁ ବୋଲି ଭକ୍ତ ଦାସ କହିଛନ୍ତି । ଯାହା ପରେ ଚର୍ଚ୍ଚା ବଢ଼ିଛି ଯେ, ସତରେ କଣ ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେଇଯିବେ ଶଙ୍ଖ ଆଉ ହାତ ?

ବୁଧବାର ଭକ୍ତ ଦାସ କହିଥିଲେ ଆମର ଯଦି ବିଜେଡି ଭଳି ୫୧ ବିଧାୟକ ଥାନ୍ତେ, ତେବେ ଆମେ ସରକାର ଭାଙ୍ଗି ଦେଇଥାନ୍ତୁ । ନାରୀକୁ ନ୍ୟାୟ ଦେବାକୁ କଂଗ୍ରେସର ସଂଗ୍ରାମ ଜାରି ରହିଛି । ତେବେ ବିଜେଡି ଯଦି ନାରୀଙ୍କୁ ପ୍ରକୃତରେ ନ୍ୟାୟ ଦେବାକୁ ଚାହୁଁଛି, ତେବେ ସରକାର ବିରୋଧରେ ଅନାସ୍ଥା ଆଣୁ ବୋଲି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ଆଉ ଏଥିପାଇଁ ସେ ବିଜେଡିକୁ ସମର୍ଥନ ଦେବେ ବୋଲି ମଧ୍ୟ ଖୋଲା ଘୋଷଣା କରିଥିଲେ ।

ଭକ୍ତ ଦାସଙ୍କ ଏମିତି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି ଯେ, ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେବେ କି, କଂଗ୍ରେସ ଆଉ ବିଜେଡି ? ଗୋଟିଏ ପଟେ ବିଜେଡି ପାଖରେ ୫୧ ଜଣ ବିଧାୟକ ଅଛନ୍ତି ଆଉ କଂଗ୍ରେସ ପାଖରେ ୧୪ ବିଧାୟକ । ଦୁଇ ଦଳର ବିଧାୟକଙ୍କୁ ମିଶାଇଲେ ବି ଅନାସ୍ଥା ଭୋଟ ସରକାର ବିପକ୍ଷରେ ଯିବା ସମ୍ଭବ ନୁହେଁ । କାହିଁକି ନା ଏବେ ମୋହନ ସରକାର ପାଖରେ ୭୮ ବିଧାୟକ ରହିଥିବାବେଳେ, ୩ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଛି । ଆଉ ଏହାକୁ ନେଇ ମୋହନଙ୍କ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି ଯେ, ବିରୋଧୀ ଯଦି ଅନାସ୍ଥା ଆଣନ୍ତି ତେବେ ନିଜେ କ୍ଷତାକ୍ତ ହେବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial