ଝିଅ ଅନ୍ୟ ଜାତିରେ ବାହା ହେବାରୁ ପରିବାରର ୪୦ ସଦସ୍ୟ ମୁଣ୍ଡନ ସହ ଶୁଦ୍ଧି ହେଲେ । ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ କଲେ ସାହିଭାଇ । ନିଆଁପାଣି ବାସନ୍ଦରୁ ମୁକ୍ତ ହେବା ପାଇଁ ୪୦ ଜଣ ଲଣ୍ଡା ହୋଇ ହୋଇ ଶୁଦ୍ଧି ହୋଇଛନ୍ତି । ରାୟଗଡା କାଶୀପୁର ବ୍ଳକ ଗୋରଖପୁର ପଞ୍ଚାୟତର ବାଇଗଣଗୁଡା ଗାଁର ଏହି ଘଟଣା ସ୍ପଷ୍ଟ କରୁଛି ଏବେ ବି କେମିତି ଜାତିବାଦର ଉଗ୍ର ରୂପ ଆମ ସମାଜରେ ରହିଛି ।
ସୂଚନା ଅନୁସାରେ ଯୁବତୀ ଜଣକ ଅନ୍ୟ ଜାତିର ଯୁବକଙ୍କୁ ଭଲପାଇ ଘରଛାଡ଼ି ଚାଲିଯାଇଥିଲେ । ପରିବାରବର୍ଗଙ୍କ ବିରୋଧ ସତ୍ତ୍ୱେ ଉକ୍ତ ଯୁବକଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବତୀ । ଏହି ଘଟଣାକୁ ନେଇ ଝିଅ ପରିବାରର ୪୦ ଜଣ ସଦସ୍ୟଙ୍କୁ ଜାତି ସମାଜ ଲୋକ ଶୁଦ୍ଧି ହେବା ସହ ମୁଣ୍ଡନ କରିବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଶୁଦ୍ଧି ହେବାକୁ କହିଥିଲେ । ସେଥିପାଇଁ ଛେଳି, କୁକୁଡା ଓ ଘୁଷୁରି ବଳି ଦେବା ସହିତ ମୁଣ୍ଡନ କରିବାକୁ ପଡ଼ିବ ବୋଲି ବୈଠକରେ କୁହାଯାଇଥିଲା । ଯଦି ଏହାକୁ ନ ମାନନ୍ତି ତେବେ ଗାଁରୁ ବାସନ୍ଦ କରାଯିବ ବୋଲି ଚେତାବନି ଦିଆଯାଇଥିଲା । ପରେ ଝିଅ ଘର ପରିବାର ବାଧ୍ୟ ହୋଇ ଶୁଦ୍ଧିକ୍ରିୟାର ଆୟୋଜନ କରିଥିଲେ । ୪୦ ଜଣ ମୁଣ୍ଡନ ହେବା ସହ କୁକୁଡା , ଛେଳି ଓ ଘୁଷୁରି ବଳିଦେଇ ଭୋଜିଭାତର ଆୟୋଜନ କରିଥିଲେ। ତେବେ ଏନେଇ କାଶିପୁର ବିଡିଓ ବିଜୟ ସୋଏଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିଲେ । ବ୍ଳକ ସମ୍ପ୍ରସାରଣ ଅଧିକାରୀଙ୍କୁ ସେଠାକୁ ଯାଇ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କାଶୀପୁର ବିଡିଓ ।
Leave a Reply