ଆଜି ପବିତ୍ର ମହାଷ୍ଟମୀ। ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା’ଦୁର୍ଗା । ନବରାତ୍ରୀ ଚାଲିଥିବାରୁ ଆଜି ଅଷ୍ଟମ ଦିନରେ ଏବଂ ଅଷ୍ଟମୀ ତିଥିରେ ମହାଗୌରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’। ସେଥିପାଇଁ ସବୁ ଶକ୍ତି ପୀଠମାନଙ୍କରେ ବହୁ ଭିଡ ଦେଖିବାକୁ ମିଳିଛି। ମା’ଙ୍କ ଅଷ୍ଟମୀ ପୂଜା ବହୁ ଧୁମଧାମ୍ ରେ ଚାଲିଛି। ତେବେ ଚାଲନ୍ତୁ ଜାଣିବା ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କୁ କାହିଁକି ‘ମହାଗୌରୀ’ ବେଶରେ ପୂଜା କରାଯାଏ ?
ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ କଠୋର ତପସ୍ୟା କରିଥିଲେ । ସେଥିପାଇଁ ତାଙ୍କ ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା । ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁଣି ତପସ୍ୟା କରିଥିଲେ। ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳା ରଙ୍ଗ ଚାଲି ଯାଇଥିଲା ଏବଂ ସେ ସଂପୂର୍ଣ୍ଣ ଗୌରବର୍ଣ୍ଣ ଧାରଣ କରିଥିଲେ । ଯାହା ପରଠୁ ମା’ଙ୍କୁ ‘ମହାଗୌରୀ’ରୂପେ ପୂଜା କରାଯାଏ । ଏହି ରୂପରେ ମାଆଙ୍କର ବିଭିନ୍ନ ଅଲୌକିକ ଲୀଳା ରହିଛି । ମା’ ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ରଚିଥିବା ଲୀଳା ମଧ୍ୟରେ ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ । ମାନ୍ୟତା ରହିଛି ମାଆଙ୍କୁ ଏହି ରୂପରେ ପୂଜା କରିବାଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ଏବଂ ମନୁଷ୍ୟ ସୁସ୍ଥ ରହିଥାଏ । ମା’ ଆଦିଶକ୍ତି ୮ ବର୍ଷ ବୟସରୁ ହିଁ ମହାଦେବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ତପସ୍ୟା ଆରମ୍ଭ କରିଦେଇଥିଲେ । ସେଥିପାଇଁ ଅଷ୍ଟମୀ ତିଥିରେ ମାଆଙ୍କର ପୂଜାର୍ଚ୍ଚନା କରାଯାଏ । ଆଠ ବର୍ଷର ତପସ୍ୟା ପରେ ‘ମହାଗୌରୀ’ ସାଜିଥିଲେ ମା । ସେହି କାରଣରୁ ନବରାତ୍ରୀର ଅଷ୍ଟମୀ ତିଥିରେ ଦୁର୍ଗାଙ୍କୁ ‘ମହାଗୌରୀ’ ରୂପରେ ପୂଜାର୍ଚ୍ଚନା କରାଯାଏ । ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ ହୋଇଥାନ୍ତି ।












Leave a Reply