ଆଜି ପବିତ୍ର ଅଶୋକାଷ୍ଟମୀ,ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ମାଉସୀଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା । ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ପ୍ରଥା ଅନୁସାରେ, ମହାପ୍ରଭୁ ଶ୍ରୀଲିଙ୍ଗରାଜ, ପ୍ରଭୁ ବାସୁଦେବ ଏବଂ ମା ରୁକ୍ମଣୀଙ୍କ ସହିତ ପ୍ରତି ବର୍ଷକୁ ଥରେ ରଥରେ ଚଢି ତାଙ୍କ ମାଉସୀ ଘର ରାମେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି। ଏହି ଯାତ୍ରା ରୁକୁଣା ରଥଯାତ୍ରା ନାମରେ ମଧ୍ୟ ପ୍ରସିଦ୍ଧ। ଆଜି ଯାତ୍ରା ନେଇ ଉତ୍ସବମୁଖର ଏକ୍ରାମ କ୍ଷେତ୍ର। ମହାପ୍ରଭୁଙ୍କର ଏହି ରଥଯାତ୍ରା ଦେଖିବାକୁ ଏକ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଏଥିପାଇଁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ବିଏମ୍‌ସି ଓ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରିଛି ।

ସୂଚନା ଅନୁସାରେ, ଅପରାହ୍ଣ ୩ଟା ୩୦ ସମୟରେ ରଥ ଟଣା ହେବା ନେଇ ନୀତି ନିର୍ଘଣ୍ଟ କରାଯାଇଛି । ଭୋର ୫ଟା ସମୟରୁ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ଦର୍ଶନ ଦେଇଛନ୍ତି । ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବା ନେଇ ସୂଚନା ରହିଛି ।

୧୨ଟା ୨୦ରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ୨ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ । ସାଢ଼େ ୩ଟାରେ ରଥ ଗଡ଼ିବ । ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial