ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ଏକ ତାରିଖରୁ ଆରମ୍ଭ ହେବ ଧାନ କିଣା । ଖରିଫ ବିପଣନ ବର୍ଷ ବା ଧାନ ସଂଗ୍ରହ ବର୍ଷ ୨୦୨୫-୨୬ ପାଇଁ ଧାନ କ୍ରୟ ଆସନ୍ତା ନଭେମ୍ବର ଏକ ୨୦୨୫ରୁ ଆରମ୍ଭ ହେବ । ଧାନ କିଣା ନଭେମ୍ବର ଏକ ତାରିଖରୁ ଏହା ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୬ ଯାଏଁ ଚାଲିବ । ଏନେଇ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ । ଏଥିପାଇଁ ଚାଷୀମାନେ ନିକଟସ୍ଥ ଅନୁମୋଦିତ ପାକ୍ସ, ଲାମ୍ପସ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତମାନଙ୍କ ଜରିଆରେ ଆଗୁଆ ପଞ୍ଜିକରଣ କରିପାରିବେ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାର ଚାଷୀଙ୍କୁ ନିମ୍ନ ଲିଖିତ ଦିଗ ଉପରେ ଗୁରୁତ୍ବାରୋପ କରିବାକୁ ପରାମର୍ଶ ଦେଇଛନ୍ତି ।
ଚଳିତ ଖରିଫ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ ନୂତନ ଭାବେ ହେବ । ଚାଷୀ ଏବଂ ଭାଗଚାଷୀଙ୍କ ଆଧାର e-KYC ମାଧ୍ୟମରେ ଚାଷୀ ପଞ୍ଜିକରଣ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର । ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ (e-KYC) ପ୍ରକ୍ରିୟା ଅବଲମ୍ବନ କରାଯିବ । ଭାଗଚାଷୀ ମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଏବଂ ମୃତ କିମ୍ବା ଯୁଗ୍ମ ପଟ୍ଟା କ୍ଷେତ୍ରରେ ଖାତାଦାରଙ୍କ ସହମତି ପତ୍ରକୁ P-PASରେ ଅପଲୋଡ କରିବାକୁ ପଡିବ । ପଞ୍ଜିକୃତ ଚାଷୀଙ୍କୁ, ଚାଷୀ ପଞ୍ଜିକରଣର ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଛି । ଆଧାର e -KYC ହୋଇଥିବା ବ୍ୟାଙ୍କ ଖାତା ଜରିଆରେ ଧାନ ବିକ୍ରୟରେ ପ୍ରାପ୍ୟ ପ୍ରଦାନ କରାଯିବ । କ୍ରୟକାରୀ ସମିତି (ପ୍ୟାକ୍ସ/ଲ୍ୟାମ୍ପ୍ସ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ପାଣି ପଞ୍ଚାୟତ)ମାନେ ଅଧିକରୁ ଅଧିକ ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ । ସରକାର ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀଙ୍କ ଉତ୍ପାଦିତ ଧାନର କ୍ରୟ ଉପରେ ଗୁରୁତ୍ୱ ଦେଉଛନ୍ତି ।
Leave a Reply