ଜଳୁଛି ସହର ବଢୁଛି ତାତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଜନଜୀବନ । ଉପକୂଳରୁ ଉପାନ୍ତ ପ୍ରଚଣ୍ଡ ଖରାରେ ସିଝୁଛି । ଦିନ ୧୦ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି । ୩୯. ୮ ଡିଗ୍ରୀ ସହ ଗତକାଲି ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ୱରରେ ୩୯.୬, ଝାରସୁଗୁଡ଼ା ୩୯.୨, ସମ୍ବଲପୁରରେ ୩୯.୧ ଓ ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶାରେ ହଟ ଓ ହ୍ୟୁମିଡ କଣ୍ଡିସନ ଲାଗି ରହିବ । ଆଗାମୀ ପାଞ୍ଚଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ବଢିବା ପରେ ନିଷ୍କ୍ରିୟ ରହିଛି । ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଭଲ ବର୍ଷା ହୋଇନଥିବାରୁ ଏହା ଆଗକୁ ବଢିପାରି ନାହିଁ ।
ସେହିପରି ମଙ୍ଗଳବାର ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୩ ଡିଗ୍ରୀ ପାର୍ କରିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩.୪ ଡିଗ୍ରୀ ହୋଇଛି । ସେହିପରି ବାଲେଶ୍ୱରରେ ସର୍ବାଧିକ ୩୪.୮ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ଚାନ୍ଦବାଲିରେ ୩୩.୪ ଡିଗ୍ରୀ ଓ ପାରାଦ୍ୱୀପ ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଆଦ୍ରତା ୬୭.୨ଡିଗ୍ରୀ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ। ଗୁରୁବାର ଓ ଶୁକ୍ରବାର ବି ତାତିରୁ ତ୍ରାହି ମିଳିବନି ।
Leave a Reply