ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବେଆଇନ୍‌ ଚାନ୍ଦା ଆଦାୟ ଉପରେ ରୋକ ଲଗେଇବାକୁ ଡିଜିପିଙ୍କ କଡା ନିର୍ଦ୍ଦେଶ ।

ଚଳିତ ବର୍ଷ ବେଆଇନ୍‌ ଚାନ୍ଦା ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଡିଜିପି ଏହି ନିର୍ଦ୍ଦେଶ ଦେଇଛନ୍ତି । 

ପାର୍ବଣ ଋତୁ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ବୈଠକରେ ଗୁରୁତ୍ଵାରୋପ କରିଥିଲେ । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । 

ଏହାଛଡା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ । ଏହା ସହ ପାର୍ବଣ ଋତୁ ସମୟରେ ବେଆଇନ ଗୋ ଚାଲାଣ ଏବଂ ବେଆଇନ ବାଣ ବିକ୍ରି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial