ଆଜି ବିଜେପି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ:

ଆଜିଠାରୁ ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।  ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ । ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି ।  ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଯଦି ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଆସନ୍ତାକାଲି ହିଁ କିଏ ଆଗାମୀ ବିଜେପି ସଭାପତି ହେବେ ଜଣାପଡ଼ିଯିବ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ ।

ରାଜ୍ୟ ସଭାପତି ନିର୍ବାଚନ ନେଇ ଏବେ ବିଜେପିର ଦଳୀୟ ରାଜନୀତି ଉଷ୍ମ ହୋଇଛି । ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ମନମୋହନ ସାମଲ ପୁଣି ସଭାପତି ହେବେ ନା ଆଉ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାଜ୍ୟ ସଭାପତି ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ କୁହାଯାଇଛି । ସେ ଆଜି ବରଗଡ଼ରୁ ଭୁବନେଶ୍ୱର ଆସୁଛନ୍ତି । 

ମନମୋହନଙ୍କ ସମର୍ଥନରେ ବିଜେପିର ଗୋଟିଏ ଗୋଷ୍ଠୀ ଥିବାବେଳେ ପ୍ରଦୀପଙ୍କ ସମର୍ଥନରେ ଆଉ ଏକ ଗୋଷ୍ଠୀ ଅଛନ୍ତି। କେହି କାହାକୁ ସହଜରେ ବାଟ ଛାଡ଼ିବା ମୁଡ୍‌ରେ ନ ଥିବାରୁ ଉଭୟ ମନମୋହନ ଓ ପ୍ରଦୀପ ନାମାଙ୍କନ ଦାଖଲ କରିପାରନ୍ତି । ଏହାବ୍ୟତୀତ ଆଉ ଜଣେ ସାଧାରଣ ସମ୍ପାଦକ ଏବଂ ଜଣେ ପୂର୍ବତନ ସାଧାରଣ ସମ୍ପାଦକ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହି ଦୁଇ ଜଣ ଉପରୋକ୍ତ ଦୁଇ ଗୋଷ୍ଠୀର ଭୋଟ୍ ଭାଗ କରିବାକୁ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial