୨୮ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ବେଶ୍‌ ସୁରୁଖୁରରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ସଠିକ୍‌ ସମୟରେ ଠାକୁରଙ୍କର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଭୋରୁ ଭୋରୁ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ମହାପ୍ରଭୁଙ୍କ କୃପାରୁ ବର୍ଷା ବନ୍ଦ ହୋଇଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ଦର୍ଶନ ଆରମ୍ଭ ହୋଇଥିଲା । ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥ ତ୍ରୟ ଶ୍ରୀମନ୍ଦିର ନିକଟକୁ ଆସିବେ । ସଠିକ ସମୟରେ ସେବାୟତ ମାନେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରୁଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଠିକ ସମୟରେ କରାଯିବ । ୯ ଟାରୁ ୯ଟା ୩୦ ମଧ୍ୟରେ ପହଣ୍ଡି ଅନୁଷ୍ଠିତ ହେବ । ସମ୍ପୃକ୍ତ ସେବାୟତ ସଠିକ୍‌ ସମୟରେ ପହଣ୍ଡିରେ ଉପସ୍ଥିତ ରହିବେ । ଠିକ ସମୟରେ ଠିକ୍ ନୀତିକାନ୍ତି ହେବ । ରଥଯାତ୍ରା ଅବସରରେ ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେବେ ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହୋଇଛି । ଏଏସଆଇ ଅଧିକାରୀଙ୍କ ସହ ବୈଠକ ହୋଇଥିଲା । ଭିତର ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟତଃ ସରିଛି । ବାହାର ରତ୍ନଭଣ୍ଡାରର ପ୍ରାୟ ୯୦ଟି ପଥର ବଦଳା ଯିବ । ୨୮ ତାରିଖରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ମରାମତି କାର୍ଯ୍ୟ ପାଇଁ ଏଏସଆଇ ସମ୍ପୂର୍ଣ ପ୍ରସ୍ତୁତ ଅଛି । ସ୍ୱଳ୍ପ ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ ରଖାଯାଇଛି । ବାହାର ରତ୍ନଭଣ୍ଡାରର କବାଟରେ ବର୍ମାଟିକ କାଠ ଲଗାଯାଇ ରୁପା ଛାଉଣୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial