ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ। ଏହା ଏକ ଭାଇଚାରାର ପ୍ରତୀକ। ରାମଜନ୍ମ ଠାରୁ ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡା ଚଳଚଞ୍ଚଳ ହୋଇଉଠିଛି। ବୀରବାଦ୍ୟର ତାଳେ ତାଳେ କାଳିକାଦେବୀ ସାହିରୁ ମାଟିମଣ୍ଡପ ସାହିକୁ ଆସିଛି ସାହିଯାତ। ପୁଣି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ଯିବ ସାହିଯାତ। ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର।
ପାଦର ପାହୁଲ ଓ ଆଖିର ଠାଣିରେ ସାହି ଭେଣ୍ଡିଆ। ବୀରଦର୍ପର ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହୋଇଛି ପୁରୀ ସହର। ରାମନବମୀ ଠାରୁ ସାହିଯାତରେ ଦୁଲୁକିଛି ଶ୍ରୀକ୍ଷେତ୍ର। ଆଉ ଉଜ୍ଜଳ ଆଲୋକମାଳାରେ ଝଲସି ଉଠିଛି ୮ ସାହି ଓ ୪୨କନ୍ଦି। କେବଳ ସେତିକି ନୁହେଁ ମଲ୍ଲୀଫୁଲ ମାଳର ବାସ୍ନାରେ ମହକୁଛି ପୁରୁଷୋତ୍ତମ କ୍ଷେତ୍ର, ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ। ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦ୍ୟ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି। ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି। ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ, ଲକ୍ଷ୍ମଣ, ସୀତା, ଭରତ, ଶତୃଘ୍ନ, ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ରାମଜନ୍ମ ନୀତିସାରି ଫେରିଛନ୍ତି। ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ। ଏହା ଏକ ଭାଇ ଚାରାର ଉତ୍ସବ। ଶ୍ରୀମନ୍ଦିରରେ ରାମଲିଳା ସହ ଏହା ସଂଶ୍ଳିଷ୍ଟ। ସେପଟେ ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ଆଜି ବାହାରିବ ସାହିଯାତ।
ସେପଟେ ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ। ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ଵା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥ ବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି। ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି। ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ।
ତେବେ କାଳିକାଦେବୀ ସାହିରୁ ବାହାରିଥିବା ସାହିଯାତ ରାମ ଓ ଲକ୍ଷ୍ମଣଙ୍କ ସାମିଲ ହୋଇଥିଲେ। ତାପରେ ଜଗନ୍ନାଥ ବଲ୍ଲଭରେ ନୀତି ସମ୍ପୂର୍ଣ୍ଣ ହୋଇଥିଲା। ଆଜି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ବାହାରିବ ସାହିଯାତ। କାଳିକାଦେଵୀ ସାହି ପକ୍ଷରୁ ରାମଜନ୍ମ ନୀତି, ହରଚଣ୍ଡୀ ସାହି ତରଫରୁ ଯଜ୍ଞରକ୍ଷା ନୀତି, ମାର୍କେଣ୍ଡଶ୍ୱର ସାହି ତରଫରୁ ବନବାସ ନୀତି, କୁଣ୍ଢେଇବେଣ୍ଟ ସାହି ତରଫରୁ ସୀତାଚୋରି ନୀତି, ଦୋଳମଣ୍ଡପ ସାହି ତରଫରୁ ଲଙ୍କାପୋଡି ନୀତି, ବାଲିସାହି ତରଫରୁ ରାବଣ ବଦ୍ଧ ନୀତି ଓ ଗୌଡବାଡ ସାହି ତରଫରୁ ରାମଭିଷେକ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି।
Leave a Reply