ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ

ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ତାରିଖରେ କଣ୍ଟିଲୋ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିସହ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚାଲିଛି। ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରଥମେ ମହାମହିମ ରାଷ୍ଟ୍ରପତି କଣ୍ଟିଲୋ ପଲଟନ ପଡିଆରେ ଅବତରଣ କରି ସେଠାରୁ କାର ଯୋଗେ ନୀଳମାଧବ ମନ୍ଦିର ଯାଇ ସେଠାରେ ଠାକୁରଙ୍କ ଦର୍ଶନ କରିବେ। ତେବେ କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ପୂଜକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି କାଳିଆପଲ୍ଲୀ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶବର ରାଜା ବିଶ୍ୱାବସୁଙ୍କ ପୀଠ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପରିଶେଷରେ ରାଷ୍ଟ୍ରପତି ବିଶ୍ୱାବସୁ ଶବର ସମାଜ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେଇ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି।

ତେବେ ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ପ୍ରଶାସନ ସବୁ ବିଭାଗ ପକ୍ଷରୁ ତତପରତା ପ୍ରକାଶ ପାଇଛି। ପୋଲିସ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ବ୍ଲକ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା ଓ ପରିମଳ ଉପରେ ଧ୍ୟାନ ଦିଆଯାଉଛି। ସେହିଭଳି ଭାବେ କଲେଜ ପଡ଼ିଆ ଓ ପଲଟନ ପଡିଆରେ ପାଞ୍ଚଟି ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆଜି ବାୟୁ ସେନାର ଏକ ହେଲିକେପ୍ଟର ପରୀକ୍ଷା ମୂଳକ ଭାବେ ପଲଟନ ପଡ଼ିଆରେ ଅବତାରଣା କରିଥିବା ଦେଖିବାକୁ ମିଳିଥିଲା। ତେବେ ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ନବୀକରଣ କରାଯିବା ସହ ପାନୀୟଜଳ, ଆଲୋକୀ କରଣ, ପରିମଳର ଉତ୍ତମ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି। ନୀଳମାଧବଙ୍କ ପୀଠ କଣ୍ଟିଲୋକୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଆସୁଥିବା ବେଳେ ଆସନ୍ତା ୨୪ ତାରିଖ ଏକ ଐତିହାସିକ ଦିନ ହେବାକୁ ଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହାକୁ ନେଇ ଖଣ୍ଡପଡାବାସୀ ବେଶ ଉତ୍ସାହିତ ଥିବାବେଳେ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial