ଆଜି ରାଜରାସ୍ତାରେ ହଜାର ହଜାର କଂଗ୍ରେସକର୍ମୀ। ନାରୀ ସୁରକ୍ଷା ପ୍ରତିବାଦରେ ବିଧାନସଭା ଘେରିବା ପାଇଁ ଏକାଠି ହୋଇଛନ୍ତି କଂଗ୍ରେସକର୍ମୀ। ଭୁବନେଶ୍ୱର ଲୋୟର ପିଏମ୍ଜି ପାଲଟିଛି ଏକପ୍ରକାର ଯୁଦ୍ଧକ୍ଷେତ୍ର। ଲାଠିଚାର୍ଜଠୁ ଆରମ୍ଭ କରି ପାଣିମରା ଯାଏଁ ସବୁଚାଲିଛି। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବିଧାନସଭା ବାହାରେ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି କଂଗ୍ରେସ। କଂଗ୍ରେସ ପ୍ରଦର୍ଶନକାରୀ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପଶୁଥିବା ବେଳେ କଂଗ୍ରେସ କର୍ମୀଙ୍କ ଉପରକୁ ପୋଲିସ୍ର ଲାଠିଚାର୍ଜ କରାଯିବା ସହ ପାଣିମାଡ କରାଯାଇଛି। ଯାହାଫଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି ପୋଲିସ୍ ଏବଂ କଂଗ୍ରେସ ଆନ୍ଦୋନଳକାରୀଙ୍କ ମଧ୍ୟରେ। ନାରାବାଜୀ କରି କଂଗ୍ରେସ ନିଜର ପ୍ରତିବାଦ ଜାରି ରଖିଛି। ରାମମନ୍ଦିର ପାଖରୁ କଂଗ୍ରେସକର୍ମୀ ପଦଯାତ୍ରା ଆରମ୍ଭ କରି ବର୍ତ୍ତମାନ ବିଧାନସଭା ବାହାରେ ପହଞ୍ଚିଛନ୍ତି। ବିଧାନସଭା ଘେରାଉ ନେଇ କଂଗ୍ରେସ ଡାକରା ଦେଇଥିବାବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ପ୍ରଶ୍ନକାଳ ଜାରି ରହିଛି। ତେବେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇାବାକୁ ଉଦ୍ୟମ କରିଥିଲା ବେଳେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ଚେୟାର ମାଡ଼ କରିଥିଲେ। ଏହା ପରେ ପରେ ପୋଲିସ ଉପରକୁ ଟେକା ପଥର, ଅଣ୍ଡା, ଟମାଟୋ, ପାଣି ବୋତଲ ମାଡ଼ କରିଥିଲେ। ପୋଲିସ ନିଜକୁ ସୁରକ୍ଷା ଦେବା ପାଇଁ ପ୍ରଥମେ ପାଣି ମାଡ଼ ଓ ପରେ ଭିଡ଼ ହଟାଇବାକୁ ଟିୟର ଗ୍ୟାସ୍ ମାଡ଼ କରିଥିଲା। ତେବେ ଦୁହିଁକ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପରିସ୍ଥିତି ଅସମ୍ଭାଳ ହେବାରୁ ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି ପୋଲିସ।

Leave a Reply