ବଢ଼ିଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା । ରାଜ୍ୟ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି । କନଷ୍ଟେବଳଙ୍କଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇଗୁଣା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବା। ଅସହାୟଙ୍କୁ ଯଥାଶୀଘ୍ର ସହାୟତା ଓ ଅସୁରକ୍ଷିତଙ୍କୁ ତୁରନ୍ତ ସୁରକ୍ଷା ଦେବା। ସମସ୍ତ ପୋଲିସ ଷ୍ଟେସନରେ FIR ତୁରନ୍ତ ଗ୍ରହଣ ଓ ଠିକ ସମୟରେ ତଦନ୍ତ କରିବା। ଏଥିପାଇଁ ପୋଲିସ ବାହିନୀକୁ ହେବାକୁ ପଡ଼ିବ ଯତ୍ନବାନ। ପୋଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ତେଣୁ ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନଷ୍ଟେବଳରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି । ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ରୁ ୮୬୦୦ ଟଙ୍କା, ସବଇନ୍ସପେକ୍ଟର ଓ ଏଏସଆଇମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ପଦବୀର ସମାନ ର୍ୟାଙ୍କର କର୍ମଚାରୀ ଓ ଅଧିକାରୀମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।
Leave a Reply