ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଗତକାଲି ମଧ୍ୟ ରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ । ନନ୍ଦୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି । ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରାଇବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ । ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ ।
ଏହାପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି । ନନ୍ଦୋତ୍ସବ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି ।
Leave a Reply