ବ୍ରହ୍ମପୁରରେ ମା’ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଆସନ୍ତାକାଲି ବୁଢୀ ଠାକୁରାଣୀ ଯାତ୍ରା ଶେଷ ହେବାକୁ ଥିବା ବେଳେ ମା’ଙ୍କ ଆଶିଷ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଗଞ୍ଜାମ ଗସ୍ତରେ ଆସି ମା’ ବୁଢି ଠାକୁରାଣୀଙ୍କ ଦର୍ଶନ କରି ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ସହରରେ ପହଞ୍ଚି ସହରର ଦେଶୀବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ‌ ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦର୍ଶନ କରିବା ସମୟରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର , ଆସିକା ବିଧାୟକ ସରୋଜ କୁମାର ପାଢୀ, ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହାପରେ ପାତ୍ରପୁର ବ୍ଲକର ଭୀମପୁର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ହେବ । ଯେଉଁଠି ସମସ୍ତ ପ୍ରକାର ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, 5ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ ଆସୁଛି । ଯେଉଁଥିରେ ୫୦ ହଜାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial