ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ; ମେ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ଲାଗି ସମୟ ଧାର୍ଯ୍ୟ ।

ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହୋଇଛି। କେବଳ କିଛି ଅନ୍ୟ ଭାଷା ଉତ୍ତର ଖାତା ଯଥା ବେଙ୍ଗଲି, ତେଲୁଗୁ, ଉର୍ଦ୍ଧୁ ଭାଷାର ଖାତା ବୋର୍ଡ ଅଫିସ ପରିସରରେ ମୂଲ୍ୟାୟନ ଚାଲିଛି। ରାଜ୍ୟର ୫୨ଟି ଯାକ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ସରି ଉତ୍ତର ଖାତାଗୁଡ଼ିକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିବା ପରେ ସେଗୁଡ଼ିକର ଟାବୁଲେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟାବୁଲେସନ୍ କିପରି ତ୍ରୁଟିଶୂନ୍ୟ ହେବ ସେଥିଲାଗି ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି। ଏଥିଲାଗି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ କର୍ତ୍ତୃପକ୍ଷ ସମୀକ୍ଷା କରିଛନ୍ତି। ଟାବୁଲେସନ୍ ପରେ ପରୀକ୍ଷା ଫଳ ପ୍ରସ୍ତୁତ ଲାଗି ପ୍ରୋସେସିଂ କରାଯିବ। ମେ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶନ ଲାଗି ସମୟ ଧାର୍ଯ୍ୟ ରହିଥିବାରୁ ଟାବୁଲେସନ୍ ଓ ମାର୍କ ପ୍ରୋସେସିଙ୍ଗ୍ କାର୍ଯ୍ୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ଧାର୍ଯ୍ୟ ରଖିଛନ୍ତି। ରୋଲ୍ ନମ୍ବର ଆଧାରରେ ମାର୍କ ପ୍ରୋସେସିଂ କାର୍ଯ୍ୟ ପରେ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ଫଳ ପ୍ରକାଶ ମାତ୍ରେ ଡିଜିଟାଲ୍ ସାର୍ଟିଫିକେଟ୍ ୱେବ୍ସାଇଟ୍ରେ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା ଥିବାରୁ ଶେଷ ସପ୍ତାହ ମଧ୍ୟରେ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟ ସାରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial