ଆଜି ବିଦ୍ଧିବଦ୍ଧ ଭାବେ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ। ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ ମନମୋହନ ସାମଲ। ତେଣୁ ମନମୋହନ ହିଁ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିବେ ଏହା ସ୍ପଷ୍ଟ ହୋଇଥିଲା। ପରେ ସେ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଭାପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ଦିନ ତମାମ ଲାଗି ରହିଥିଲା ଗହଳି ଚହଳି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତା ପହଁଚିଥିଲେ। କିଏ କିଏ ନାମାଙ୍କନ ଦାଖଲ କରିବେ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା। ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ। ତେବେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ଜଣ ନାମାଙ୍କନ କରିଛନ୍ତି।
ତେବେ ଆଜି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ପରେ ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହୋଇଛି। ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ମନମୋହନ।। ବିଜେଡି ସହ ମେଣ୍ଟକୁ ବିରୋଧ କରିବା ସହ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ମନମୋହନଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ବଡ ଚ୍ୟାଲେଞ୍ଜ ହେବ। ଏଥିସହ ଦଳର ସବୁ ନେତାଙ୍କୁ ସନ୍ତୁଷ୍ଟ କରି ରଖିବା। ବିଭିନ୍ନ ନିଗମ ଓ ଆୟୋଗର ଅଧ୍ୟକ୍ଷ ଚୟନ କରିବା, ମନମୋହନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଧରାଯାଉଛି।
ତେବେ 1999ରୁ ରାଜନୀତି କ୍ୟାରିଅର ଆରମ୍ଭ କରି 2000, 2000ରୁ 2004 ଏବଂ ତା ପରେ ମାର୍ଚ୍ଚ 2023ରୁ ଏବେ ଯାଏଁ ରାଜ୍ୟ ସଭାପତି ପଦରେ ସେ ରହିଆସିଛନ୍ତି। ବିଶେଷ କରି ପୂର୍ବରୁ ମନ୍ତ୍ରୀ ଏବଂ ବିଧାୟକ ଭାବେ ବି ତାଙ୍କର ଅଭିଜ୍ଞତା ରହିଛି। 2004 ମସିହାରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ରାଜସ୍ୱ ମନ୍ତ୍ରୀ ଭାବରେ ୨୦୦୪ରୁ ୨୦୧୮ ଯାଏଁ କାର୍ଯ୍ୟ କରିଥିଲେ। ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ। ପରେ ୨୦୧୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ତେବେ ସେବେଠୁ ଏବେ ଯାଏଁ ଦଳକୁ ଆଗେଇ ନବାରେ ଏବଂ 2024 ନିର୍ବାଚନରେ ମେଣ୍ଟ ସମ୍ଭାବନାକୁ ଏଡାଇ ଏକାକୀ କ୍ଷମତା ଦଖଲରେ ମନମୋହନଙ୍କର ରହିଥିଲା ବଡ଼ ଭୂମିକା ରହିଛି।
Leave a Reply