ଆଜିଠୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ବ୍ରତ ଆରମ୍ଭ; ମାସେ ଧରି ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

ଆଜିଠୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ବ୍ରତ ଆରମ୍ଭ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ସେଥିପାଇଁ ୧ ମାସ ଧରି ହବିଷ୍ୟାଳିମାନେ ଏହି ପବିତ୍ର ମହାକାର୍ତ୍ତିକ ବ୍ରତ ପାଳନ କରନ୍ତି । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡିଛି । ହବିଷ୍ୟାଳିମାନେ ନିଜ ପରିବାର ପରିଜନଙ୍କୁ ଛା଼ଡି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ।  

ଏଠି ରହି  ମାସସାରା ମହାପ୍ରଭୁଙ୍କୁ ଦର୍ଶନ କରି ହବିଷ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ କରିଛନ୍ତି କାର୍ତିକ ବ୍ରତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାଧାଦାମୋଦର ବେଶ ଦର୍ଶନ କରି ପାଳନ କରୁଛନ୍ତି ହବିଷ୍ୟ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାସକ ଯାକ ପ୍ରତିଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଧାଦାମୋଦର ବେଶ ଦର୍ଶନ କରି ମହାପ୍ରସାଦ ଖାଇବା ପାଇଁ ହବିଷ୍ୟାଳିଙ୍କର ଅହେତୁକ ଭିଡ ପରିଲକ୍ଷିତ ହୋଇଥାଏ । ଶ୍ରୀମନ୍ଦିରରେ ପ୍ରତିଦିନ ଭୋର ୪ ଟାରେ ଦ୍ୱାର ଫିଟାଯାଇ ମଙ୍ଗଳଆଳତୀ ହେବା ପରେ ରାଧାଦାମୋଦର ବେଶ ଓ ବାଳଧୂପ ନୀତି କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି ।

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଅଢେଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ମାଗଣାରେ ରହିବା ପାଇଁ ପୁରୀର ୪ଟି ଜାଗାରେ ବ୍ୟବସ୍ଥା କରାଯାଇଛି । ଶିବିରରେ‌ ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାନୀୟ ଜଳ, ଶୌଚାଳୟ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପୋଲିସ ବ୍ୟବସ୍ଥା, ସହାୟତା କେନ୍ଦ୍ର, ଏବଂ ପ୍ରତ୍ୟେକ ଦିନ ଜଗନ୍ନାଥ ଦର୍ଶନ ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ହବିଷ୍ୟାଳୀ ଶିବିରରେ ସ୍ବାସ୍ଥ୍ୟ ଶିବିର କରାଯାଇଛି । ଗୁରୁତର ସ୍ବାସ୍ଥ୍ୟ ଗତ ସମସ୍ୟା ସୃଷ୍ଟି ହେଲେ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial