ଅକ୍ଷର ବ୍ୟୁରୋ: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟି ଲଘୁଚାପ । ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ । ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ଏବେ ଗୋପାଳପୁର ଠାରୁ ୯୫୦ କି.ମି. ଦୂରରେ ଏବଂ ଆନ୍ଧ୍ରର କାକିନାଡ଼ାଠାରୁ ୮୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ବାତ୍ୟା ମୋନ୍ଥା । ବାତ୍ୟା ପ୍ରଭାବରେ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ଦୁଇଦିନ ପାଇଁ ରାଜ୍ୟରେ ବିଶେଷ କିଛି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାବେଳେ ରାଜ୍ୟର କାଁ ଭାଁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୭ରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବ। ସେହିପରି ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାରେ ପ୍ରବଳ ବର୍ଷା (୭ରୁ ୧୧ ସେ.ମି) ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି ।
ସୋମବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାରେ ଭୀଷଣ ବର୍ଷା (୨୦ ସେ.ମିରୁ ଅଧିକ) ନେଇ ରେଡ୍ ୱାଂର୍ଣ୍ଣି ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କି.ମି ଏବଂ ୮୦ କି.ମି ପର୍ଯ୍ୟନ୍ତ ରହିପାରେ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାଂର୍ଣ୍ଣି ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ କି.ମିରୁ ୭୦ କି.ମି ପର୍ଯ୍ୟନ୍ତ ବହିବା ନେଇ ଆକଳନ କରାଯାଇଛି । ଏଥିସହ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୨୯ ତାରିଖରେ ମଧ୍ୟ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ୱାଂର୍ଣ୍ଣି ଜାରି କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ବର୍ଷା, ପବନ ଲାଗି ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୬ତାରିଖଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ କରାଯାଇଛି । ଏଥିସହ ସମସ୍ତ ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।












Leave a Reply