ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଡ଼ଠାକୁର ବଳଭଦ୍ର। ତାଳଧ୍ୱଜ ରଥରେ ବିରାଜିବେ ବଳଭଦ୍ର। ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ପରିସରରେ ଭକ୍ତିମୟ ପରିବେଶ। ପ୍ରିୟ ଠାକୁର ଆସିବେ ବଡ଼ଦାଣ୍ଡକୁ। ରଥରେ ବସି ବିନା କୌଣସି ବାଧାବିଘ୍ନରେ ଦର୍ଶନ ଦେବେ। ଏହା ହିଁ ଏକମାତ୍ର ପର୍ବ ଯେଉଁଠି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ, ଧନୀ, ନିର୍ଦ୍ଧନ ନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି। ଧର୍ମର, ମନର ସଙ୍କୀର୍ଣ୍ଣତା ସବୁକିଛି ବଡ଼ଦାଣ୍ଡର ଧୂଳିରେ ମିଶିଯାଏ। ଏହି ପର୍ବରେ କାହାକୁ ବାରଣ ନାହିଁ। ଏହି ପର୍ବ ସାରା ବିଶ୍ୱର ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ଦିଏ।
ସମସ୍ତ ଭକ୍ତଙ୍କୁ ଭଗବାନଙ୍କର ନିଆରା ସେବା କରିବାର ସୁଯୋଗ ଦିଏ। ସମାଜ ସୃଷ୍ଟି ବିଭିନ୍ନ ବିଧିବ୍ୟବସ୍ଥା ଏଠି ହାର ମାନେ। ସବୁ ମଣିଷଙ୍କୁ ଏକାଠି ନେଇ ସମସ୍ତଙ୍କ ସହଯୋଗରେ ସେ ଆଣନ୍ତି ଗୁଣ୍ଡିଚା ମନ୍ଦିରକୁ। ଭକ୍ତ ଯେପରି ଆଷାଢ଼ ଦ୍ୱିତୀୟାକୁ ଅପେକ୍ଷା କରି ରହେ ମହାପ୍ରଭୁ ମଧ୍ୟ ସେହିପରି ଗୁଣ୍ଡିଚା ଯାତ୍ରାକୁ ଅପେକ୍ଷା କରିରହିଥାନ୍ତି। ରଥରେ ବସି ମହାପ୍ରଭୁ ଅପଲକ ନୟନରେ ଭକ୍ତମାନଙ୍କୁ ଚାହିଁ ରହିଥାଆନ୍ତି। ପଳକହୀନ ନୟନରେ ସେ ଚକାଡୋଳା, ହାତ ନଥାଇ ସେ ବଳିୟାରଭୁଜ। ପାଦ ନଥାଇ ସେ ଧରଣୀପାଦ। ସେ ପୁରୁଷ ଶ୍ରେଷ୍ଠ, ପୁରୁଷୋତ୍ତମ, ପୂର୍ଣ୍ଣତାର ପ୍ରତୀକ। ତିନି ରଥ ଉପରେ ଆରୂଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ଭକ୍ତମାନେ ରଥ ଦଉଡ଼ିକୁ ଟାଣିବାକୁ ଆଗଭର ହୁଅନ୍ତି । ଭକ୍ତଙ୍କ ଆଡ଼େ ଚାହିଁ ଭଗବାନ କୁହନ୍ତି, ‘ଭକ୍ତଗଣ ରଥକୁ ଟାଣି ଟାଣି ନେଇଯାଅ, ଗୁଣ୍ଡିଚା ମନ୍ଦିରକୁ ନୁହେଁ, ବରଂ ନିଜ ମନ ମନ୍ଦିରକୁ’ ।
Leave a Reply