ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି; ଏହାରି ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା:

ପାଣିପାଗକୁ ନେଇ ପୁଣି ବଡ଼ ଅପଡେଟ୍‌ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି । ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ ଆଡ଼କୁ ଗତି କରିବ ଲଘୁଚାପ । ଏ ନେଇ ଅପଡେଟ୍‌ ଦେଇଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ଉତ୍ତର ପଶ୍ଚିମକୁ ରେଡ୍ ଆଲର୍ଟ ପରେ ବଢୁଛି ଚିନ୍ତା । ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ବଢୁଛି ଭୟ । ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ । ଯେଉଁଥି ପାଇଁକି ୪ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ସମ୍ବଲପୁରରେ ୨୦୦ ମିଲି ମିଟର ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରିବା ସହ ରେଡ୍ ଆଲର୍ଟ ଜାରି ହୋଇଛି ।

ଅତି ଜରୁରୀ କାମ ନଥିଲେ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବ । ତେଣୁ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିଭଳି ୧୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ ଅରେଞ୍ଜ ଆଲର୍ଟ ଜାରି କରିଛି । ୧୩ ଜିଲ୍ଲା ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଦେଓଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ, ସୋନପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ ।

ଆସନ୍ତାକାଲି ମଧ୍ୟ ପଶ୍ଚିମ ଆଭ୍ୟନ୍ତରୀଣ ସହ ଉତ୍ତର ଉପକୂଳରେ ହେବ ବର୍ଷା । କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଆସନ୍ତା ୧୩ ତାରିଖ ଯାଏଁ ବର୍ଷା ଲାଗି ରହିବ । ୭ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ। ଯାହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial