ଦୁର୍ବଳ ହେଲା ବାତ୍ୟା ‘ମୋନ୍ଥା’; ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

ଅକ୍ଷର ବ୍ୟୁରୋ: ଗଭୀର ଅବପାତରୁ ଏବେ ଦୁର୍ବଳରେ ପରିଣତ ହୋଇଛି ବାତ୍ୟା ମୋନ୍ଥା । ଯାହାଫଳରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ବିଜୁଳି ଘଡଘଡି ଏବଂ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି କିଛି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, କେଉଁଝର, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଏହାସହ ସର୍ବାଧିକ ୪୫ ରୁ ୫୫ ଆବଶ୍ୟକସ୍ଥଳେ ୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ମଧ୍ୟ ଅନୁଭୂତ ହୋଇଛି ।

ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଏହାସହ ବିଜୁଳି ଘଡଘଡି ଓ ଝଟକା ପବନ ମଧ୍ୟ ଅନୁଭୂତ ହେବ । ଆସନ୍ତା କାଲି ମଧ୍ୟ ସମାନ ସ୍ଥିତି ରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଦକ୍ଷିଣ ଛତିଶଗଡ଼ ଓ ଆଖପାଖ ଅଞ୍ଚଳ ଉପରେ ଥିବା ଡିପ୍ରେସନ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ​​ଗତକାଲି (ବୁଧବାର) ରାତି ୧୧.୩୦ରେ ଦକ୍ଷିଣ ଛତିଶଗଡ଼ ଏବଂ ସଂଲଗ୍ନ ବିଦର୍ଭ ଉପରେ କେନ୍ଦ୍ରିତ ହୋଇଛି । ଏହା କାଙ୍କେର (ଛତିଶଗଡ଼)ରୁ ପ୍ରାୟ ୧୧୦ କିଲୋମିଟର ଦକ୍ଷିଣ-ପଶ୍ଚିମ, ଜଗଦଲପୁର (ଛତିଶଗଡ଼)ରୁ ୧୫୦ କିଲୋମିଟର ପଶ୍ଚିମ-ଉତ୍ତରପଶ୍ଚିମ, ଚନ୍ଦ୍ରପୁର (ମହାରାଷ୍ଟ୍ର)ରୁ ୧୫୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ରାମଗୁଣ୍ଡମ (ତେଲେଙ୍ଗାନା)ରୁ ୧୬୦ କିଲୋମିଟର ଉତ୍ତର-ପୂର୍ବ ଏବଂ ନାଗପୁର (ମହାରାଷ୍ଟ୍ର)ରୁ ୨୪୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial