ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ: ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ଶ୍ରୀକ୍ଷେତ୍ରରେ ଆସନ୍ତା ୩୦ ତାରିଖରେ ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ। କିନ୍ତୁ ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ। ଚଳିତ ବର୍ଷ ପୁରୀରେ ଚନ୍ଦନ ଯାତ୍ରାବେଳେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି। ଏଥିସହ ଚନ୍ଦନ ଯାତ୍ରାରେ ସାମିଲ ହେଉଥିବା ଭକ୍ତ ଓ ସେବକଙ୍କର ହେଲଥ୍ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର ରହିବ। ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। 

ଚଳିତ ବର୍ଷର ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି। ନୀଳାଦ୍ରି ମହୋଦୟ ଉତ୍ସବ, ନୃସିଂହ ଜନ୍ମ ଓ ଶ୍ରୀକ୍ଷେତ୍ରେ ଭଉଁରୀ ତିଥି ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି। ଏହାକୁ ଛତିଶା ନିଯୋଗର ଅନୁମୋଦନ ବି ମିଳିଛି। ଗତବର୍ଷ ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଅଘଟଣ ପରେ ସଜାଗ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଚନ୍ଦନ ଯାତ୍ରା ଚାଲିଥିବାବେଳେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା। ଏହି ଅଘଟଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିଲେ। ତେଣୁ ଭକ୍ତ ତଥା ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଚନ୍ଦନ ଯାତ୍ରା ପାଇଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ। ତା’ସହ ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial