ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ ।

ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଇଲେ ଗରାବଡ଼ୁ ସେବାୟତ । ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଇଲେ ସେବାୟତ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା ।

ଶ୍ରୀଜୀଉଙ୍କ ମହାସ୍ନାନ ପରେ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ପରେ ବିଧି ଅନୁଯାୟୀ ଆଳତି କରିବେ । ତା ପରେ ଶ୍ରୀଜିଉମାନେ ଧାରଣ କରିବେ ଗଜାନନ ବେଶ ବା ହାତୀ ବେଶ । ସ୍ନାନଯାତ୍ରା ପରେ ଆଉ ରତ୍ନବେଦିକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡ଼ିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରନ୍ତି ମହାପ୍ରଭୁ । ଏଥର ୧୩ ଦିନ ଧରି ଚାଲିବ ଅଣସର ନୀତି । ଭକ୍ତଙ୍କୁ ଦେଖା ଦେବା ପାଇଁ ନିଜେ ବାହାରକୁ ଆସିବେ ଭଗବାନ । ଜଗନ୍ନାଥ ସଂସ୍କୃତିରେ ବର୍ଣ୍ଣିତ ଭଗବାନଙ୍କ ଏହି ମାନବୀୟ ଲୀଳା ସମାନତାର ବାର୍ତ୍ତା ଦେଇଥାଏ ସାରା ଜଗତକୁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial