ଆଜିଠୁ ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି । ମହାସଂଘ ୬ଦଫା ଦାବି ନେଇ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ଗାଡି ଚାଲୁନଥିବାରୁ ଲୋକମାନେ ଯାତାୟତରେ ଅସୁବିଧା ଭୋଗିଛନ୍ତି । ସରକାର ଶୀଘ୍ର ସେମାନଙ୍କ ଦାବି ପୂରଣ କରିବାକୁ ଅଡି ବସିଛି ମହାସଂଘ । ସେପଟେ ଏନେଇ ଆଜି ସଂଘର ସରକାରଙ୍କ ସହ ବୈଠକ ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଦାବି ରଖି ସମାଧାନ ପାଇଁ ବାଟ ବାହାରିପାରେ । ସେମାନଙ୍କ ଦାବି ଯଥାର୍ଥ, ଆଲୋଚନା ଦ୍ୱାରା ସମାଧାନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ମୁଖ୍ୟତଃ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରିବା ସହ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଡ୍ରାଇଭର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ ଆଦି ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।
Leave a Reply