ନକଲି ସାର ବିକିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ଏଣିକି ନକଲି ସାର ବିକିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି,ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ ନକଲି ସାର ବିକ୍ରି ନେଇ ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ । ରାଜ୍ୟରେ ସାର ଅଭାବ ଦେଖାଦେଇଥିବା ବେଳେ କିଛି ଲୋକ ନକଲି ସାର ବିକ୍ରି କରୁଛନ୍ତି । ସାର ଅଭାବ ବେଳେ ନକଲି ସାର ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଗୋଟିଏ ପଟେ ଚାଷୀଙ୍କୁ ମିଳୁନି ସାର । ଅନ୍ୟପଟେ ଏହାର ଫାଇଦା ଉଠାଇବାକୁ ଦଲାଲ ସକ୍ରିୟ । ପଟାସ ସାରର ଡୁପ୍ଲିକେଟ୍ କରି ବିକୁଛନ୍ତି ଦଲାଲ । ଆଉ ମୋଟା ଅଙ୍କର ଟଙ୍କା ବି ଲାଭ କରୁଛନ୍ତି । କୋରାପୁଟ ଜୟପୁରରୁ ଆସିଲା ନକଲି ସାରର ଦୃଶ୍ୟ । ବାଲି ବସ୍ତାରେ ରଙ୍ଗ ବୋଳି ପଟାସ ସାର ବୋଲି କରୁଛନ୍ତି ଦଲାଲ । ଆଉ ନକଲି ସାର ବସ୍ତା ଧରି ଏବେ ଧାରଣାରେ ଚାଷୀ । 

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲିର ଚାଷୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ଅଣଓଡ଼ିଆ ବେପାରୀଙ୍କଠାରୁ ସାର କିଣି ଠକି ଯାଇଛନ୍ତି ୧୦ରୁ ଅଧିକ ଚାଷୀ । ସାର ଧାନ ବିଲରେ ପକାଇବା ପରେ ଏହା ପାଣିରେ ମିଶି ନଥିଲା । ତେଣୁ ଚାଷୀଙ୍କର ସନ୍ଦେହ ହୋଇଥିଲା । ଏନେଇ ପଚରାଉଚରା କରିବାରୁ ଗୋଦାମ ବନ୍ଦ କରି ବେପାରୀ ଫେରାର ହୋଇଯାଇଛି । ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚାଷୀ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial