ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ । ଏନେଇ ପ୍ରଭାତୀ ପରିଡ଼ା କହିଛନ୍ତି, “ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର୍ ଆପଣଙ୍କ ଦାଣ୍ଡକୁ ଯିବେ । ୧୧ଟି ବିଭାଗର ୩୩ ଜଣ ଅଫିସର୍‌ଙ୍କୁ ସାମ୍ନାରେ ଆଣିଛି । ଜଳ ନିଷ୍କାସନ, ସଡ଼କ ନିର୍ମାଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉଦାହରଣ । ୮ଟି ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ଅନୁମୋଦନ ହୋଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗ ରଥ ପ୍ରଦାନ କରାଯାଇଛି । ଶିକ୍ଷା ପାଇଁ ୨୨ କୋଟି, ଗମନାଗମନ ପାଇଁ ୧୪୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପାନୀୟ ଜଳ କ୍ଷେତ୍ରରେ ୨୧୩ କୋଟି ବ୍ୟୟ କରାଯାଇଛି । ଉତ୍କର୍ଷ ନିମାପଡ଼ା ୨୦୩୬ ପାଇଁ ରୋଡ୍‌ମ୍ୟାପ୍‌ ନେଇ ଆଲୋଚନା ହୋଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା”।

ସୂଚନାଯୋଗ୍ୟ, ନିମାପଡ଼ା ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ଦାସ ଶତାଧିକ କର୍ମୀଙ୍କୁ ନେଇ ନିମାପଡାର ଏକ ରାସ୍ତା ଉଦଘାଟନ କରି ପରୋକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ବର୍ଷେ ଧରି ଉପମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପ ଉଦଘାଟନ କରୁଛନ୍ତି ସବୁ ଗତ ୨୦୨୨-୨୩ ମସିହା ସମୟର ବୋଲି କହିଥିଲେ ସମୀର । ଏବେ ସେ ନିମାପଡାର ବିଧାୟିକା, ପୁଣି ସରକାରର ଗୁରୁତ୍ୱପୂର୍ଣ୍ଣ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଛନ୍ତି, ତେଣୁ ସେ ନିମାପଡାର ବିକାଶ ୪ ବର୍ଷ ଭିତରେ କ‘ଣ କରୁଛନ୍ତି ଓ କିଭଳି କରୁଛନ୍ତି ଆମେ ସବୁ ଅପେକ୍ଷା କରିଛୁ ବୋଲି ପ୍ରଭାତୀ ପରିଡାଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ଅନ୍ୟପଟେ ସମୀରଙ୍କ ଆହ୍ୱାନ ପରେ ଜବାବ ରଖି ଉପମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ କ’ଣ କରିଛି ନକରିଛି ତାହା ଲୋକେ ଜାଣିଛନ୍ତି । ଆଜି ନିଜ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପଟେ ବିଜେପି ମୁଖପାତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial