ପୂର୍ବ ଗୌରବ ଫେରାଇ ଆଣିବା ଲାଗି ସାରା ଜୀବନ ତ୍ୟାଗ କରିଥିବା ପ୍ରବାଦ ପୁରୁଷ ତଥା ମହାନ ନେତା ବିଜୁବାବୁଙ୍କର ଆଜି ଶ୍ରାଦ୍ଧ ଦିବସ। ସେ ଏପରି ଏକ ବ୍ୟକ୍ତିତ୍ୱ ଯାହା ଭିତରେ ଥିଲା ନୂଆ ସମ୍ଭାବନା। ସେ ଏପରି ଏକ ପୁରୁଷ ଯାହା ନିକଟରେ ଭରି ରହିଥିଲା କୋଟି କୋଟି ଯୁବକଙ୍କୁ ଜାତୀୟ ସ୍ରୋତରେ ପ୍ରବାହିତ କରିବାର ପ୍ରେରଣା। ସେ ଥିଲେ ନୂଆ ଓଡ଼ିଶାର ବିନ୍ଧାଣୀ। ଶିକ୍ଷା, ଶିଳ୍ପ, ଭିତ୍ତିଭୂମି, ଜଳସେଚନ, ଜିଲ୍ଲା ଗଠନ ଆଦି ସବୁକ୍ଷେତ୍ରରେ ଥିଲା ବିଜୁବାବୁଙ୍କ ଅନନ୍ୟ ଅବଦାନ। ବିଜୁଙ୍କୁ ବିବ୍ରତ କରିଥିଲା ଓଡ଼ିଶାର ଦାରିଦ୍ର୍ୟତା। ଏଥିଲାଗି ରାଜ୍ୟରୁ ଦାରିଦ୍ର୍ୟ ହଟାଇବାରେ ସେ ନେଇଥିଲେ ପ୍ରମୁଖ ଭୂମିକା। କଳିଙ୍ଗପୁତ୍ର ଭାବେ ନିଜକୁ ଗର୍ବିତ ଅନୁଭବ କରୁଥିଲେ ବିଜୁ ବାବୁ। ସମ୍ବୃଦ୍ଧ ଓଡ଼ିଶା ଗଠନକୁ ନେଇ ସେ ଥିଲେ ପ୍ରତିଜ୍ଞାବଦ୍ଧ । ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ବଦଳାଇଥିଲେ ଓଡ଼ିଶାର ଭାଗ୍ୟ। ଓଡ଼ିଶାରେ ୧୩ ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବା ସହ ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ବିଜୁବାବୁଙ୍କ ଓଡିଶା ପ୍ରତି ଅନନ୍ୟ ଅବଦାନ। ବିଜୁବାବୁ ୫ ମାର୍ଚ୍ଚ ୧୯୧୬ରେ ଧରାପୃଷ୍ଠରେ ପାଦ ଦେଇ ୧୭ ଏପ୍ରିଲ ୧୯୯୭ ତଥା ଆଜିର ଦିନରେ ଇହଲୀଳା ସମରଣ କରିଥିଲେ।
ତେବେ ଆଜିର ଏହି ଦିନରେ ବିଜୁବାବୁଙ୍କୁ ବହୁ ରାଜନୈତିକ ସ୍ତରରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭା ପରିସରରେ ବିଜୁବାବୁଙ୍କୁ ଶ୍ରଦ୍ଧାଜ୍ଞଳି ଅର୍ପଣ କରିଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହଦେଓ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତା’ସହ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।












Leave a Reply