ଆଜି ବିଧାନସଭା ଘେରିବ କଂଗ୍ରେସ। ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କର୍ମୀ। ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ। କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘେରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ଗତକାଲି ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ କରିବା ପରେ ଦଳ ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ଚେତାବନୀ ଦେଇଛି କଂଗ୍ରେସ। ତେବେ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ଅଭିଯୋଗ କରିଛି କଂଗ୍ରେସ।

ସେପଟେ, କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବିଧାନସଭା ଆଗରେ ହାଇ ସିକ୍ୟୁରିଟି ଜାରି କରାଯାଇଛି। ସବୁ ଗେଟ୍ ଆଗରେ ପୋଲିସ ଛାଉଣୀ। ସମସ୍ତ ଗେଟ୍ ବନ୍ଦ କରାଯିବା ସହ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ପୋଲିସ୍ ଅଧିକାରୀ। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଂଗ୍ରେସର ବିଧାନସଭା ଘେରାଉ ପାଇଁ ଆଜି ରାଜଧାନୀରେ ଦେଖାଦେଇପାରେ ଟ୍ରାଫିକ ସମସ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ଯାଏଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ବିଶେଷ କରି ରାଜମହଲ ଛକରୁ ରୁପାଲି ଛକ ମଧ୍ୟରେ ଟ୍ରାଫିକ୍ ସମସ୍ୟା ଦେଖାଦେବ। ତେଣୁ ଏହି ସମୟରେ ଅନ୍ୟ ରାସ୍ତାରେ ଗମନାଗମନ ପାଇଁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।
Leave a Reply