ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଗିରଫ କଲା ଭିଜିଲାନ୍ସ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କାଲି କୁବେର ଯନ୍ତ୍ରୀଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା । ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଊର୍ଦ୍ଧ୍ୱ ସୁନାଗହଣା । ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ ଏବଂ ୧୫ଟି ଦାମୀ ହାତ ଘଣ୍ଟା ଠାବ । ଖାଲି ଏତିକି ନୁହେଁ ମୁଖ୍ୟଯନ୍ତ୍ରୀଙ୍କ ୨ଟି ଅଟ୍ଟାଳିକା ସହ ୨ ଫ୍ଲାଟ୍ ଓ ୭ ପ୍ଲଟ୍ ମଧ୍ୟ ରହିଛି ।

ମେ’ ୩୧ରେ ଅର୍ଥାତ୍ ଆଜି ଚାକିରିରୁ ଅବସର ନେଇଥାଆନ୍ତେ । ତା’ ପୂର୍ବରୁ ମାଡ଼ିବସିଥିଲା ଭିଜିଲାନ୍ସ । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟ ଦେଖି ଖୋଦ ଭିଜିଲାନ୍ସର ଆଖି ଟେରା ହୋଇଯାଇଛି । କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା । ରାଜଧାନୀଠା‌ରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼ । ଭିଜିଲାନ୍ସ ଟିମ୍‌ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ଘର ଯାଞ୍ଚ ପାଇଁ କଲିଂବେଲ୍‌ ବଜାଇବାବେଳେ ଘର ଲୋକ କବାଟ ନଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍‌ ଫିଙ୍ଗି ଚାଲିଥିଲେ । ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା । ନାକେଦମ୍‌ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ । ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା । ଭିଜିଲାନ୍ସର ୭ଟି ଟିମ୍‌ ଗତକାଲି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆ ସ୍ଥିତ ବାସଭବନ ଓ ଲୋକେଇପଶି ସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ସହ ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial