ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲା କେନ୍ଦ୍ରୀୟ ଟିମ୍; କହିଲା ପାଣି ଯୋଗୁଁ ବ୍ୟାପୁଛି ଡାଇରିଆ ।

ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ । ଡାଇରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସହ ବସିଛି ସମୀକ୍ଷା ବୈଠକ । ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଥିଲା କେନ୍ଦ୍ରୀୟ ଟିମ୍ । ଯାଜପୁର ସମେତ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରିଖିଛନ୍ତି କେନ୍ଦ୍ରୀୟ ଟିମ୍ । ଆଉ ସେମାନେ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ଏବେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଚାଲିଛି ଆଲୋଚନା । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା କହିଛି କେନ୍ଦ୍ରୀୟ ଟିମ୍ ।

ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢ଼ିଲା ମୃତ୍ୟୁ ସଂଖ୍ୟା। ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିସହ ବେସରକାରୀ ଭାବେ କେବଳ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ହେଲେ ସରକାରୀ ଭାବେ ସଂଖ୍ୟା ୭ ରହିଛି । ସେହିପରି କେନ୍ଦୁଝରରେ ୩ ଜଣ, କଟକରେ ୨ ଜଣ ଓ କେନ୍ଦ୍ରାପଡ଼ାରେ ଜଣେ ପ୍ରାଣ ହରାଇଛନ୍ତି । କଟକ ଜିଲ୍ଲା ନରସିଂହପୁରରେ ଜଣେ ଓ ଟାଙ୍ଗୀରେ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି । ଆଜି ସୁଦ୍ଧା ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । କିନ୍ତୁ ପ୍ରାୟ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial