ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତା ପରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାର ସ୍ଥିତି କିଛି ଏଭଳି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ, ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବିଗତ ଦିନରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି, ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି । ବାକି କୌଣସି ନଦୀରେ ବିପଦ ନାହିଁ, ବୈତରଣୀ ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛି ଜଳ ସମ୍ପଦ ବିଭାଗ । ସୁବର୍ଣ୍ଣରେଖାରେ ବିପଦ ସଂକେତ ଠାରୁ ୧.୧୬ ମିଟର ଅଧିକ ଜଳ ପ୍ରବାହିତ ହେଉଛି, ଏହା କ୍ରମାଗତ ଭାବେ ବଢ଼ୁଛି ।
ଆଜି ଦିନ ୧୨ ସୁଦ୍ଧା ୧୧.୭ ମିଟର ହେବା ନେଇ ଆଶଙ୍କା ରହିଛି । ଧୀରେ ଧୀରେ ଏହା କମି ପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୁରଭଞ୍ଜ ଓ ଝାଡ଼ଖଣ୍ଡରେ ଦୁଇ ଦିନ ପାଇଁ ରେଡ ୱାର୍ଣ୍ଣି ଦିଆଯାଇଛି । ସେଠି ବର୍ଷା ହେଲେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଝାଡ଼ଖଣ୍ଡ କେତେ ଜଳ ଛାଡିବ, ତା ଉପରେ ସୁବର୍ଣ୍ଣରେଖାର ଜଳସ୍ତର ନିର୍ଭର କରିବ । ବୁଢ଼ାବଳଙ୍ଗରେ ବିପଦ ସଂକେତ ୮.୧୩ ମିଟର । ସକାଳ ୯ ସୁଦ୍ଧା ଏହା ୭.୨୦ ମିଟର ରହିଛି । କ୍ରମାଗତ ଭାବେ ଜଳସ୍ତର କମିବାରେ ଲାଗିଛି । ସେଠି ବର୍ଷା ନ ହେଲେ ସେଭଳି ବଡ଼ ବନ୍ୟାର ଆଶଙ୍କା ନାହିଁ । ଜଳକାରେ ୬.୫ ମିଟର ବିପଦ ସଂକେତ । ବର୍ତମାନ ୬.୮୪ ମିଟର ଜଳ ପ୍ରବାହିତ ହେଉଛି, ଧୀରେ ଧୀରେ ଜଳସ୍ତର କମୁଛି । ବାଲେଶ୍ୱରର ବନ୍ୟା ପରିସ୍ଥିତି ସମୀକ୍ଷା ପାଇଁ ଜଣେ ସର୍ବୋଚ୍ଚ ଯନ୍ତ୍ରୀ, ଜଣେ ମୁଖ୍ୟଯନ୍ତ୍ରୀ ସେଠାକୁ ଯାଇଛନ୍ତି । ବାଲେଶ୍ୱରର ସମସ୍ତ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ସଜାଗ କରି ତୁହାକୁ ତୁହା ସମୀକ୍ଷା କରାଯାଉଛି । କ୍ଷେତ୍ର ଅଧିକାରୀମାନେ କ୍ଷେତ୍ରରେ ଅଛନ୍ତି । ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବନ୍ଧ ଭାଙ୍ଗିବା କି ଘଳିଆ ହେବାର ଖବର ନାହିଁ ବୋଲି ସେ କହିଛନ୍ତି ।
Leave a Reply