ଗତକାଲି ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ଅଞ୍ଚଳରେ ଘଟିଥିଲା ଏହି ବଡ଼ ଅଘଟଣ। ଶୋକରେ ବୁଡ଼ିଲା ବିଜୟ ଉତ୍ସବ। IPL ଚାମ୍ପିଅନ୍ସ RCBର ବିଜୟ ଉତ୍ସବ ପାଳନ କରିବା ପୂର୍ବରୁ ଭୟଙ୍କର ଦଳାଚକଟାରେ ଚାଲିଗଲା ୧୧ ଜଣଙ୍କ ଜୀବନ। ଆହତ ହୋଇଛନ୍ତି ୫୦ରୁ ଅଧିକ। ଷ୍ଟାଡ଼ିୟମ ବାହାରେ ଲକ୍ଷ୍ୟାଧିକ ଫ୍ୟାନ୍ ରୁଣ୍ଡ ହୋଇଥିଲେ। ଏହାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଥିଲା। ଆଉ ଏହି ଲାଠିମାଡ଼ରୁ ଷ୍ଟାମ୍ପେଡ୍ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଲାଗିରହିଛି ତନାଘନା। ଅଘଟଣ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ତେବେ ଉଦବେଗର କଥା ହେଉଛି, ଏହି ଦଳାଚକଟା ପରେ ବି ଚାଲିଥିଲା ସେଲିବ୍ରେସନ। ଅନେକ ଆହତଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି।
ସେପଟେ ଘଟଣାକୁ ନେଇ ଉପୁଜିଛି ରାଜନୈତିକ ବିବାଦ। କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବି.ୱାଇ.ବିଜୟେନ୍ଦ୍ର ଏହି ଘଟଣା ପାଇଁ ରାଜ୍ୟର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି। ତା’ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିଛନ୍ତି। ଷ୍ଟାଡିୟମର କ୍ଷମତା ୩୫ ହଜାର ରହିଥିବା ବେଳେ କେଉଁ ପରିସ୍ଥିତିରେ ୨ ଲକ୍ଷ ଦର୍ଶକ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଛି। ସେପଟେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Leave a Reply