ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ । ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି ବନକ ଲାଗି କାର୍ଯ୍ୟକ୍ରମର ରୀତିନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନେ କରିଥାନ୍ତି । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ଅନୁଷ୍ଠିତ ହୋଇଥାଏ । ଦି’ପ୍ରହର ଧୂପ ଦାନ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ ହୋଇଥାଏ । ଏହାପରେ ଏହି ଗୁପ୍ତ ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଶ୍ରୀଜୀଉଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ କରିବାରୁ ବଞ୍ଚିତ ରହିଥାନ୍ତି । ଏହି କ୍ରମରେ ବନକଲାଗି ନୀତି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ସରିବା ପରେ ସାଧାରଣ ଦର୍ଶନ ଚାଲୁ ରହିବ । ୨୦୧୮ ମସିହା ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଆସୁଛି ।
ବନକଲାଗି ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

Leave a Reply