ଭୁବନେଶ୍ୱର କଟକ ସମେତ ଆଉ ୮ଟି ସହରରେ ଚାଲିବ ଆମ ବସ୍ । ଏନେଇ ନିଷ୍ପତ୍ତି ନେଇଛି କ୍ରୁଟ୍ । ଗତକାଲି କ୍ରୁଟ୍ର ୪୯ତମ ବୋର୍ଡ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ଭଳି ୮ଟି ସହରରେ ଆମ ବସ୍ ଚଳାଚଳ କରିବ । ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର । ସେହିଭଳି ପ୍ରତ୍ୟେକ ସହରରେ ଯାତ୍ରୀମାନଙ୍କ ପାଇଁ ରହିବ ଡ଼ିଜିଟାଲ୍ ପାସ୍ ବ୍ୟବସ୍ଥା ।
ଗତଦିନଗୁଡିକରେ ରାଜ୍ୟରେ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ହୋଇଛି। ସେଥିପାଇଁ ଦୁର୍ଘଟଣା ରୋକିବାକୁ ବସ୍ଗୁଡିକର ବେଗ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛି କ୍ରୁଟ୍ । ଦିନକୁ ଦିନ ଦୁର୍ଘଟଣା ଅଧିକ ବଢୁଥିବାରୁ ବସଗୁଡିକର ଗତି ନିର୍ଦ୍ଧାରିତ ହୋଇଛି। ସ୍ପିଡ୍ ଉପରେ ଅଙ୍କୁଶ ଲଗାଇବା ସହ ସହର ଭିତରେ ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଚାଲିବ ସହ ଡିଜେଲ୍ ବସ୍ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ତେବେ ଆନ୍ତଃନଗର ରାଜପଥରେ ଡିଜେଲ ବସର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ ବୋଲି ସ୍ଥିର କରାଯାଇଛି । ନିଯୁକ୍ତ ଡ୍ରାଇଭରମାନେ ଯେପରି ସୁରକ୍ଷିତ ଡ୍ରାଇଭିଂ କରିବେ ଏବଂ ତାଙ୍କ ଆଚରଣ ସହ ବ୍ୟବହାର ଭଲ ରହିବ, ତା’ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଡ୍ରାଇଭରଙ୍କୁ ମିଳିବ ସମ୍ମାନ ବୋଲି କୁହାଯାଇଛି।












Leave a Reply