ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା; ସଂସ୍କୃତର ବିକଳ୍ପ ଭାବେ ପିଲା ପଢ଼ିବେ ଧନ୍ଦାମୂଳକ ଶିକ୍ଷା ।

ହାଇସ୍କୁଲ ପାଠ୍ୟକ୍ରମରୁ ଉଚ୍ଛେଦ ହେବ ସଂସ୍କୃତ ଭାଷା । ତୃତୀୟ ଭାଷା ସଂସ୍କୃତର ବିକଳ୍ପ ଭାବେ ପିଲା ପଢ଼ିବେ ଧନ୍ଦାମୂଳକ ଶିକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଛି। ବୋର୍ଡ ପକ୍ଷରୁ ଚଳିତ ମାସ ୨୩ ତାରିଖରେ ୪୩୧ଟି ହାଇସ୍କୁଲରେ ତୃତୀୟ ଭାଷା ସଂସ୍କୃତ ବା ହିନ୍ଦୀର ବିକଳ୍ପ ଭାବେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ପାଇଁ ପ୍ରକାଶିତ ନିର୍ଦ୍ଦେଶନାମାରୁ ଏହା ସ୍ପଷ୍ଟ ହୋଇଛି ।

ପୂର୍ବରୁ ରାଜ୍ୟର ପାଖାପାଖି ୩ ହଜାର ହାଇସ୍କୁଲରେ ତୃତୀୟ ଭାଷା (ହିନ୍ଦୀ/ସଂସ୍କୃତ) ବିକଳ୍ପ ବିଷୟ ଭାବେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହୋଇଥିଲା । ଏବେ ପୁଣି ୪ ଶହରୁ ଅଧିକ ହାଇସ୍କୁଲରେ ଏହି ଧାରା ଲାଗୁ କରିବା ସଂସ୍କୃତ ଭାଷା ପ୍ରତି ବିପଦ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଏଭଳି ବିଭ୍ରାନ୍ତିକର ନିଷ୍ପତ୍ତିକୁ ରାଜ୍ୟ ସଂସ୍କୃତ ଶିକ୍ଷକ ମହାସଂଘ ଦୃଢ଼ ବିରୋଧ କରିଛି ।

ବୋର୍ଡ ପ୍ରଦତ୍ତ ହାଇସ୍କୁଲ ପାଠ୍ୟକ୍ରମ ଅନୁସାରେ, ଜଣେ ଛାତ୍ର ପ୍ରଥମ ଭାଷାରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଅଲଟ୍‌ରନେଟିଭ୍ ଇଂରାଜୀ ମଧ୍ୟରୁ କୌଣସି ଗୋଟିଏ ପଢ଼ିବେ । ସେହିପରି ଦ୍ବିତୀୟ ଭାଷାରେ ଅଲଟର୍‌ନେଟିଭ୍ ଇଂରାଜୀ, ହିନ୍ଦୀରୁ ଗୋଟିଏ ବିଷୟ ପଢ଼ିପାରିବେ। କିନ୍ତୁ ତୃତୀୟ ଭାଷାରେ ହିନ୍ଦୀ କିମ୍ବା ସଂସ୍କୃତ ପଢ଼ିବେ। ଏଥିରୁ ସ୍ପଷ୍ଟ ହେଉଛି, ତୃତୀୟ ଭାଷାର ବିକଳ୍ପ ଭାବେ ଧନ୍ଦାମୂଳକ ଶିକ୍ଷା ବା ଅନ୍ୟ କୌଣସି ବିଷୟ ରଖିଲେ, ସଂସ୍କୃତ ହିଁ ପ୍ରଭାବିତ ହେବ । ଧନ୍ଦାମୂଳକ ବିଷୟରେ ପ୍ରାକ୍ଟିକାଲ୍ ଥିବାରୁ ଜଣେ ଛାତ୍ର ଅଧିକ ନମ୍ବର ରଖିବା ଆଶାରେ ସଂସ୍କୃତ ବଦଳରେ ଧନ୍ଦାମୂଳକ ବିଷୟ ରଖିବ । ସଂସ୍କୃତକୁ ସବୁ ଭାରତୀୟ ଭାଷାର ମା’ ବୋଲି କୁହାଯାଉଥିବା ବେଳେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial