୨୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ; କାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।

ଆସନ୍ତାକାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି । ମାଲକାନାଗିରି, କୋରାପୁଟ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଗଜପତି, କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୁରଭଞ୍ଜରେ ମଧ୍ୟ ବର୍ଷା ହୋଇପାରେ । ବର୍ଷା ସହ ବଜ୍ରପାତ ଓ ଘଣ୍ଟା ପ୍ରତି ୩୦କି.ମି. ବେଗରେ ପବନ ବହିପାରେ । ଦକ୍ଷିଣ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟାରେ କେନ୍ଦୁଝରର ହାଟଡିହିରେ ସର୍ବାଧିକ ୧୨ ସେମି, ତେଲକୋଇରେ ୯, ବାଣପୁରରେ ୯, ପାଲଲହଡ଼ାରେ ୮, ନବରଙ୍ଗପୁରରେ ୮, ଖରିଆରରେ ୮ ସେମି, ଉମରକୋଟରେ ୭, ବୋଡେନରେ ୭ ସେମି ବର୍ଷା ହୋଇଛି। ଅପରାହ୍ଣ ସୁଦ୍ଧା କଟକରେ ୧୫.୨ ଏବଂ ଭୁବନେଶ୍ବରରେ ୯.୫ ମି.ମି ବର୍ଷା ହୋଇଥିଲା । ଆଜି କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲାରେ ପବନ ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଅନ୍ୟ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୪ ଓ ୨୫ ତାରିଖରେ ସମୁଦ୍ର ଅଶାନ୍ତ ରହିପାରେ। ଏଠାରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ଏବଂ ଝଟକା ପବନର ବେଗ ୫୫ କି.ମି. ରହିପାରେ। ତେଣୁ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial