ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଓ ମୃତ୍ୟୁ ଘଟଣାରେ ବିରୋଧୀ ବିଜେଡି ପକ୍ଷରୁ ଆଜି ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ଧରି ଏହି ବନ୍ଦ ପାଳନ କରାଯିବ। ଏନେଇ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି। ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବନ୍ଦ ପାଳନ କରାଯାଇଛି । ମାମଲାର ନ୍ୟାୟିକ ତଦନ୍ତ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏହି ଘଟଣା ସହିତ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଆଜି ବାଲେଶ୍ୱର ବନ୍ଦ ବେଳେ ଦୋକାନ ବଜାରଠାରୁ ଆରମ୍ଭ କରି ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ।
ଏହି ବନ୍ଦ ସମୟରେ ଜରୁରିକାଳୀନ ସେବା ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଛାତ୍ରୀ ମୃତ୍ୟୁ ଘଟଣାରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି), ଅଧ୍ୟକ୍ଷ, ବାଲେଶ୍ୱର ଏସ୍ପି, ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ସାଂସଦଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଅବଗତ ଥିଲେ ବି ନିରବଦ୍ରଷ୍ଟା ସାଜିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଶ୍ରୀ ଜେନା । ପୀଡ଼ିତା ସମସ୍ତଙ୍କର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଗେଇ ଆସିନଥିଲେ । କଲେଜ ଆଭ୍ୟନ୍ତରୀଣ କମିଟି କିଭଳି ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କ ସପକ୍ଷରେ ରିପୋର୍ଟ ଦେଲା, ଛାତ୍ରୀଙ୍କୁ ଅସଦାଚରଣ ଓ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା କାହିଁକି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ଶ୍ରୀ ଜେନା ପ୍ରଶ୍ନ ଉଠାଇଛନ୍ତି । ଏଭଳି ଘଟଣା ଯେମିତି ଆଗକୁ ନ ଘଟେ ବିଜେଡି ତା’ର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ଜେନା କହିଛନ୍ତି ।
Leave a Reply