ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି। ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ୱ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହୋଇ ୮ଟା ୩୦ରେ ଶେଷ ହେବ ଏହି ନୀତି । ମଧ୍ୟ ରାତ୍ର ୨ଟାରେ ପଡ଼ିବ ଶ୍ରୀଜିଉଙ୍କ ରାତ୍ର ପହୁଡ଼, କାଲି ନୀଳାଦ୍ରି ବିଜେ ।
ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ସୁନାବେଶ ଏବଂ ତା’ପରଦିନ ଅଧର ପଣା ନୀତି ହୋଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହ ମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ଟି ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରେଇଥାନ୍ତି । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରିରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।
ସ୍ୱତଲିପି ଅନୁଯାୟୀ, ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପେର ‘ଅଧର ପଣା’ ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ଅଧର ପଣା ଭୋଗ କରାଯାଉଛି । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀରେ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ ହାଣ୍ଡି ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି ।
Leave a Reply