ଶରଧାବାଲିରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ:

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗ ପୁରୀ ଗସ୍ତରେ ଆସି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚୋନା କରିଛନ୍ତି ଉନ୍ନୟନ କମିଶନର । ପ୍ରାଥମିକ ତଦନ୍ତ ଆରମ୍ଭ ନେଇ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟାରେ କହିଛନ୍ତି, “ମତେ ଏହି ଘଟଣା ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି । ଦଳାଚଟକାରେ ଭକ୍ତଙ୍କ ମୃତ୍ୟୁ ବହୁତ୍ ଦୁଃଖଦ ଘଟଣା । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଏହି ଭଳି ସ୍ଥିତି ଯେଭଳି ଆଉ ହେବ ନାହିଁ ସେନେଇ ମଧ୍ୟ ସରକାରଙ୍କୁ ଅବଗତ କରାଯିବ । ଆଜି ପୁରୀ ଗସ୍ତରେ ଆସି ପ୍ରାଥମିକ ତଥ୍ୟ ମୁଁ ସଂଗ୍ରହ କରିଛି । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ମୁଁ ଆଲୋଚନା କରିଛି । ଆଗାମୀ 30 ଦିନ ଭିତରେ ସବୁ ତଥ୍ୟ ସଂଗ୍ରହ କରାଯିବ । ସବୁ ସେବାୟତଙ୍କ ମତାମତ ନିଆଯିବ । କେଉଁ ପୋଲିସ କର୍ମଚାରୀ ମାନେ ସେହି ଦିନ ଡ୍ୟୁଟିରେ ଥିଲେ ସେ ନେଇ ମୁଁ ରିପୋର୍ଟ ମାଗିଛି । ଏବେ କିଛି ବି କହିବା ଠିକ୍ ହେବ ନାହିଁ ।”

ସେ ଆହୁରି ମଧ୍ୟ କହିଛନ୍ତି, ” ମୋ ପାଖରେ 30 ଦିନ ସମୟ ଅଛି । ଏହା ଭିତରେ ପ୍ରତ୍ୟେକ ବର୍ଗ ଲୋକଙ୍କୁ ଭେଟିବି । ମୃତକଙ୍କ ପରିବାର ଲୋକଙ୍କ ମତାମତ ନେବି । ଏହା ପରେ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବି । ପୁରୀ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଭାର ପ୍ରଦାନ କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ପାଢୀ ଏବେବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟ କରୁଛନ୍ତି । ପୁରୀ ଏସପି ପିନାକ ମିଶ୍ର ପୂର୍ବ ରଥ ଯାତ୍ରାରେ ପୁରୀ ଏସପି ଭାବେ ଦାୟିତ୍ଵ ସଫଳ ଭାବେ ତୁଲାଇଛନ୍ତି । ଚଞ୍ଚଳ ରାଣା ଜଣେ ଭଲ ପ୍ରଶାସକ । ଏଣୁ ଆଗାମୀ ରଥ ଯାତ୍ରା ପରର ନୀତି କାନ୍ତି ଓ ପରମ୍ପରା ଭଲରେ ଆୟୋଜନ ହେବ ବୋଲି ଆମର ଦୃଢ଼ ଆଶା ଅଛି। ”

ଗତ ରବିବାର ଭୋର 4ଟା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ପରିସ୍ଥିତି ଉପୁଜିବାରୁ 3ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ବରିଷ୍ଠ ଆଇଏଏସ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଏହି ଘଟଣାରେ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆଗାମୀ 30 ଦିନ ଭିତରେ ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଉନ୍ନୟନ କମିଶନର ପୁରୀ ଗସ୍ତରେ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial