୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀମୋଦୀ କହିଥିଲେ ଯେ, ଜୁନ୍ ୨୦ ତାରିଖ ହେଉଛି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ଆଜିର ଦିନରେ ଓଡ଼ିଶାର ପ୍ରଥମ ବିଜେପି ସରକାରଙ୍କର ଗୋଟିଏ ବର୍ଷ ପୂରଣ ହେଉଛି । ଏହି ବାର୍ଷିକୀ ପାଳନ କେବଳ ଏକ ସରକାରଙ୍କର ନୁହେଁ, ବରଂ ଜନସେବା ଏବଂ ଜନ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ସୁଶାସନ ପ୍ରତିଷ୍ଠାର ବାର୍ତ୍ତା ଦେଉଛି। ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ଆଶା ପୂରଣ କରିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀମୋଦୀ ଓଡ଼ିଶାବାସୀଙ୍କର ସମର୍ଥନ ଏବଂ ବିଶ୍ୱାସକୁ ସ୍ୱୀକାର କରି ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଏବଂ ତାଙ୍କ ସହଯୋଗୀ ଦଳକୁ ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏମାନଙ୍କର ପ୍ରୟାସ ଓଡ଼ିଶାର ବିକାଶକୁ ନୂତନ ଗତି ଦେଇଛି।

Social media & sharing icons powered by UltimatelySocial